ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି।
ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତକାଲି କିଛି ପ୍ରସଙ୍ଗ ଉଠାଇଲେ। ମୁଁ ଏଠି ପଚାରିବାକୁ ଚାହୁଁଛି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣ ଗତ ଦୁଇ ବର୍ଷ ହେଲା ବିଧାନସଭାରୁ ଛୁଟି ନେଇ ବସିଛନ୍ତି। ହେଲେ ଆଣପଙ୍କୁ ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡ଼ିଲା ଓ ନତମସ୍ତକ ହେବାକୁ ପଡ଼ିଲା। ଏଇଟା ହେଉଛି ବିଜେପିର ନୈତିକ ବିଜୟ। ଏଇଟା ହେଉଛି ପଦ୍ମପୁରର ବିଜୟ। ଏଇଟା ଭାରତର ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ ଗତକାଲି ବକ୍ତବ୍ୟକୁ ପଢ଼ୁଥିଲି। ଆପଣ କହିଲେ, ଆମେ ଏୟା ସେୟା କରିବୁ। ତା’ହେଲେ ୨୨ ବର୍ଷର ହିସାବ କୁଆଡ଼େ ଗଲା? ୨୦୧୯ ମସିହାରେ ପ୍ରଦୀପ ପୁରୋହିତ ବିଧାୟକ ଥିଲା ବେଳେ ଏ ଅଞ୍ଚଳର ବରିଷ୍ଠ ନାଗରିକମାନେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଆପଣଙ୍କ ପାଖକୁ ଯାଇଥିଲେ। ସେତେବେଳେ ଆପଣ କହିଥିଲେ ଖୁବ୍ଶୀଘ୍ର ହେବ। ଏବେ ଆପଣ କହୁଛନ୍ତି, ୨୦୨୩ ମସିହାରେ ହେବ। ମୁଖ୍ୟମନ୍ତ୍ରୀ ମହାଶୟ ଆପଣ କେଉଁଟା ସତ କହୁଛନ୍ତି? ୧୯୯୩ ମସିହାରେ ଜିଲ୍ଲା ଗଠନ ବେଳେ କେଉଁମାନେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇ ନଥିଲେ? ଯେଉଁମାନେ ସେତେବେଳେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିଲେ, ସେମାନେ ଆଜି ଆପଣଙ୍କ ବାମ ଓ ଡାହାଣରେ ଛିଡ଼ା ହୋଇଛନ୍ତି। ଆପଣଙ୍କ କଥାକୁ ପଦ୍ମପୁର ଲୋକ ବିଶ୍ୱାସ କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

