ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ନାଁରେ ଏକ ନକଲି (ଫେକ୍) ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସେ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସାଧାରଣ ଲୋକଙ୍କୁ ସତର୍କ କରିଛନ୍ତି।
ସୁରେଶ ମହାପାତ୍ର ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କ ନାଁରେ କେହି ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ସୃଷ୍ଟି କରିଛନ୍ତି। ଉକ୍ତ ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରାଯାଉଛି।
ସେ ଲୋକମାନଙ୍କୁ ଏଭଳି ଫେକ୍ ଆକାଉଣ୍ଟକୁ ବିଶ୍ୱାସ ନ କରିବା ସହ କୌଣସି ପ୍ରକାର ଅର୍ଥ କାରବାର ନ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ଯଦି କାହାରି ନଜରକୁ ଏଭଳି ନକଲି ଆକାଉଣ୍ଟ ଆସେ, ତାହାର ଲିଙ୍କ୍ ତାଙ୍କୁ ଜଣାଇବାକୁ ମଧ୍ୟ ଅପିଲ୍ କରିଛନ୍ତି, ଯାହାଦ୍ୱାରା ସମ୍ପୃକ୍ତ ଆକାଉଣ୍ଟ ବିରୋଧରେ ପଦକ୍ଷେପ ନିଆଯାଇପାରିବ।
ଏହି ଘଟଣା ପରେ ସାଇବର ଠକଙ୍କ ନୂଆ କୌଶଳକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ସୋସିଆଲ୍ ମିଡିଆରେ କୌଣସି ପରିଚିତ ବ୍ୟକ୍ତିଙ୍କ ନାଁରେ ଟଙ୍କା ମାଗୁଥିବା ବାର୍ତ୍ତା ମିଳିଲେ, ତାହାର ସତ୍ୟତା ଯାଞ୍ଚ କରିବା ପରେ ହିଁ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

