ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦାଦାବଟି ମାଗିବା, ମାରଣାସ୍ତ୍ର ଦେଖାଇ ଲୁଟ୍ କରିବା ଏବଂ ଅପହରଣ ଉଦ୍ୟମ ଘଟଣାରେ ସହିଦ ନଗର ଥାନା ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଲିଙ୍ଗା, ରକି ଓ ନାନୋ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ସିଦ୍ଧି ବିନାୟକ ବେହେରାଙ୍କ ଲିଖିତ ଏତଲା ଆଧାରରେ ସହିଦ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା।
ଗତ ୨୬ ଜୁଲାଇ ୨୦୨୬ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସିଦ୍ଧି ବିନାୟକ ବେହେରା ତାଙ୍କର ଦୁଇ ସାଙ୍ଗ ରାଜେଶ ଜେନା ଓ ପ୍ରିୟମ୍ ଦାସଙ୍କ ସହ ବାଣୀବିହାର ପଛପଟ ଲକ୍ଷ୍ମୀପୂଜା ଛକ ନିକଟରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ୫ରୁ ୬ ଜଣ ଯୁବକ ଖଣ୍ଡା ଓ ଭୁଜାଲି ଧରି ସେଠାରେ ପହଞ୍ଚି ସେମାନଙ୍କ ବେକରେ ମାରଣାସ୍ତ୍ର ଲଗାଇ ଦାଦାବଟି ମାଗିଥିଲେ।
ଅଭିଯୋଗ ଅନୁସାରେ, ଟଙ୍କା ନଦେଲେ ଲୁଗାପଟା ଖୋଲି ରାସ୍ତାରେ ଉଲଗ୍ନ କରି ବୁଲାଇବାକୁ ଧମକ ଦେଇଥିଲେ। ଏହାସହ ଅଭିଯୋଗକାରୀଙ୍କ ପକେଟରୁ ୪ ହଜାର ଟଙ୍କା ନଗଦ ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଘଟଣା ସମୟରେ ଅଭିଯୁକ୍ତମାନେ ପରସ୍ପରକୁ “ରକି” ଓ “ମାଲିଙ୍ଗା” ନାମରେ ଡାକୁଥିବା ଜଣାପଡ଼ିଥିଲା।
ପରେ ଅଭିଯୁକ୍ତମାନେ ଆଉ ଦୁଇ ଜଣଙ୍କୁ ଡାକି ପୀଡ଼ିତମାନଙ୍କୁ ରଙ୍ଗମାଟିଆ ଅଞ୍ଚଳକୁ ଅପହରଣ କରି ନେଇ ହତ୍ୟା କରିବାକୁ ଯୋଜନା କରୁଥିବା ବେଳେ, ସିଦ୍ଧି ବିନାୟକ ଓ ତାଙ୍କ ସାଙ୍ଗମାନେ ସୁଯୋଗ ଦେଖି ଅଭିଯୁକ୍ତଙ୍କୁ ଠେଲି ଘଟଣାସ୍ଥଳରୁ ଖସି ପଳାଇ ଆସିଥିଲେ।
ତଦନ୍ତ ସମୟରେ ପୋଲିସ ବିଶ୍ୱସ୍ତ ସୂଚନା ଆଧାରରେ ମାଲିଙ୍ଗା, ରକି ଓ ନାନୋଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ଚଢ଼ାଉ କରିଥିଲା। ମାଲିଙ୍ଗାଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଏକ ଖଣ୍ଡା ଜବତ କରାଯାଇଛି। ପଚରାଉଚରା ବେଳେ ତିନି ଅଭିଯୁକ୍ତ ଅପରାଧରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବା ପୋଲିସ କହିଛି।
ସଂଗୃହୀତ ପ୍ରମାଣ ଆଧାରରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

