କମାଲ କଲା LIC, ୨୩% ବଢ଼ିଲା!

Top Storise ଦେଶ- ବିଦେଶ ବାଣିଜ୍ୟ ରାଜ୍ୟ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍)ରେ ଦମଦାର ଆର୍ଥିକ ପ୍ରଦର୍ଶନ କରିଛି। କମ୍ପାନୀର ନିଟ୍ ଲାଭ ବାର୍ଷିକ ଆଧାରରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇ ₹୧୩,୪୯୨ କୋଟିରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ନିଟ୍ ଲାଭ ପ୍ରାୟ ₹୧୦,୯୫୬ କୋଟି ଥିଲା।

କମ୍ପାନୀର ପ୍ରିମିୟମ୍ ଆୟ ମଧ୍ୟ ବୃଦ୍ଧି ପାଇଛି। ଏହି ତ୍ରୟମାସିକରେ LICର ମୋଟ ନିଟ୍ ପ୍ରିମିୟମ୍ ଆୟ ପ୍ରାୟ ୭ ପ୍ରତିଶତ ବଢ଼ି ₹୧.୨୭ ଲକ୍ଷ କୋଟିରେ ପହଞ୍ଚିଛି। ନୂଆ ପଲିସି ବିକ୍ରିରୁ ମିଳୁଥିବା ପ୍ରଥମ ବର୍ଷର ପ୍ରିମିୟମ୍‌ରେ ୨୨.୫ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ, ପୁରୁଣା ପଲିସିର ନବୀକରଣ ପ୍ରିମିୟମ୍‌ରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି।

LIC କହିଛି ଯେ ଗ୍ରୁପ୍ ବୀମା ବ୍ୟବସାୟର ଭଲ ପ୍ରଦର୍ଶନ ଏବଂ ଅଧିକ ଲାଭଦାୟକ ନନ୍-ପାର୍ଟିସିପେଟିଂ ବୀମା ପଲିସି ଉପରେ ଗୁରୁତ୍ୱ ଦେବା ଫଳରେ କମ୍ପାନୀର ଲାଭ ବୃଦ୍ଧି ପାଇଛି। ଏହା ସହ ନୂଆ ବ୍ୟବସାୟର ଲାଭ ମାର୍ଜିନ୍‌ରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଆସିଛି।

ବଜାର ବିଶ୍ଳେଷକଙ୍କ ମତରେ, ବେସରକାରୀ ବୀମା କମ୍ପାନୀଙ୍କ ସହ କଡ଼ା ପ୍ରତିଯୋଗିତା ସତ୍ତ୍ୱେ LIC ନିଜର ବଜାର ନେତୃତ୍ୱ ବଜାୟ ରଖିଛି। ବୀମା କ୍ଷେତ୍ରରେ ବଢ଼ୁଥିବା ସଚେତନତା ଏବଂ ନୂଆ ଗ୍ରାହକଙ୍କ ଯୋଗଦାନ ଆଗାମୀ ଦିନରେ କମ୍ପାନୀର ଅଭିବୃଦ୍ଧିକୁ ଆହୁରି ସୁଦୃଢ଼ କରିପାରେ।

ଏହି ଆର୍ଥିକ ଫଳାଫଳ ସ୍ପଷ୍ଟ କରୁଛି ଯେ LIC ବନ୍ଦ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ଦାବିର କୌଣସି ଆଧାର ନାହିଁ। ବରଂ କମ୍ପାନୀ ଲାଭ ବୃଦ୍ଧି ସହ ଦେଶର ସର୍ବବୃହତ ଜୀବନ ବୀମା ସଂସ୍ଥା ଭାବେ ଦୃଢ଼ ସ୍ଥିତିରେ ରହିଛି।

Leave a Reply

Your email address will not be published. Required fields are marked *