ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କ, ଦୁଇଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

Top Storise ରାଜ୍ୟ

ପୁରୀ: ପୁଣି ଦୁର୍ବୃତ୍ତଙ୍କ ଆତଙ୍କରେ ଥରିଛି ପୁରୀ ସହର। ବିଳମ୍ବିତ ରାତିରେ ପୁରୀ ବଡ଼ଶଙ୍ଖ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଚ୍ ବଜାରରେ ଘଟିଥିବା ଏହି ଆକ୍ରମଣରେ ଦୁଇଜଣ ଲହୁଲୁହାଣ ହୋଇଛନ୍ତି।

ଆହତ ଦୁଇଜଣ ହେଲେ ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି। ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି।

ଅଭିଯୋଗ ଅନୁସାରେ, ଚାରିଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚି ଗାଳିଗୁଲଜ କରିବା ସହ ଉଭୟଙ୍କୁ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଆକ୍ରମଣ ପରେ ଉଭୟ ଆହତଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁବାସ ଚନ୍ଦ୍ର ମହାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ଏକ ସ୍କୁଟି ସହ ମାରଣାସ୍ତ୍ର ମଧ୍ୟ ମିଳିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କୁମ୍ଭାରପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆହତ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଏବଂ ଅଭିଯୁକ୍ତମାନଙ୍କ ପରିଚୟ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *