ଭୁବନେଶ୍ବର : ରାଜ୍ୟରେ କେଉଁ ମ୍ୟୁଟାଣ୍ଟ ସକ୍ରୀୟ ରହିଛି । ଏସବୁର ଉତ୍ତର ଖୋଜିବାକୁ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆଗକୁ ଜେନମ ସିକ୍ବେନ୍ସିଂକୁ ଜୋରଦାର କରାଯିବ । ସାରା ରାଜ୍ୟର ଜେନମ୍ ସିକ୍ବେନ୍ସିଂର ରିପୋର୍ଟ ଆଇଏଲଏସକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ଲ୍ୟାବ ହେଉଥିବାରୁ ସବୁ ଜିଲ୍ଲାରୁ ଜେନମ ସିକ୍ବେନ୍ସିଂ କରାଯିବ ।
ସବୁ ଜିଲ୍ଲାରୁ ସାମ୍ପୁଲ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ କାମ ଆରମ୍ଭ ହୋଇଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଡବଲ ଡୋଜ୍ ଟିକା ନେବା ପରେ ବି ଅନେକ ସଂକ୍ରମିତ ହେଉଛନ୍ତି । କରୋନା ନିୟମ ନମାନିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ତେଣୁ ଟିକା ନେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ ପରାମର୍ଶ ଦେଇଛନ୍ତି । ଟିକା ନେଇଥିବା ଲୋକ ଲକ୍ଷଣ ବିହୀନ ସଂକ୍ରମିତ ହେଉଥିବାରୁ ସେମାନେ ବହୁ ଲୋକଙ୍କୁ ସଂକ୍ରମିତ କରୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିରୋଜ ମିଶ୍ର କହିଛନ୍ତି ।