ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨କୁ ଦୃଷ୍ଟିରେ ରଖି ଦିଲ୍ଲୀ ସିଏମ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତ୍ୟେକ ପରିବାରକୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଯୁବକ ଚାକିରୀ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ବେରୋଜଗାରଙ୍କୁ ୫୦୦୦ ଟଙ୍କା ବେକାରି ଭତ୍ତା ଦିଆଯିବ। ସେ କହିଛନ୍ତି ଯେ ଉତ୍ତରାଖଣ୍ଡ ସରକାର ଗଠନ ହେବା ମାତ୍ରେ ଏକ ଲକ୍ଷ କର୍ମହୀନ ଲୋକଙ୍କୁ ୬ ମାସ ମଧ୍ୟରେ ସରକାରୀ ଚାକିରି ଦିଆଯିବ।
କେଜ୍ରିୱାଲ କହିଛନ୍ତି ଯେ ସରକାରୀ ଚାକିରିରେ ଉତ୍ତରାଖଣ୍ଡର ବେରୋଜଗାରୀଙ୍କୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ପ୍ରଦାନ କରାଯିବ। ଉତ୍ତରାଖଣ୍ଡରେ ବେରୋଜଗାରୀଙ୍କ ପାଇଁ ଏକ ରୋଜଗାର ପୋର୍ଟାଲ ତିଆରି ହେବ। ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବା ମାତ୍ରେ ରୋଜଗାର ଏବଂ ସ୍ଥାନାନ୍ତରଣ ମନ୍ତ୍ରଣାଳୟ ଗଠନ ହେବ।
ଯଦି ଉତ୍ତରାଖଣ୍ଡରୁ ସ୍ଥାନାନ୍ତର ହୋଇଥିବା ପ୍ରବାସୀମାନେ ଫେରି ଆସିବାକୁ ଚାହାଁନ୍ତି, ତେବେ ସେମାନଙ୍କ ପାଇଁ ଯୋଜନା ମଧ୍ୟ କରାଯିବ। ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ୨୦୨୨ ର ପ୍ରସ୍ତୁତି ସମ୍ପର୍କରେ କେଜ୍ରିୱାଲ ରାଜ୍ୟରେ ଅତ୍ୟଧିକ ସକ୍ରିୟ ହେବାକୁ ଯାଉଛନ୍ତି। ଆପ୍ ଉତ୍ତରାଖଣ୍ଡରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରତିଶୃତି ଦେଇସାରିଛି।