ଖାକିରେ ପୁଣି ଗଂଜେଇ ଛିଟା : ୧.୧୩ ଲକ୍ଷ ଜାଲ୍‌ ନୋଟ୍‌ ଜବତ, କନେଷ୍ଟବଳ ସମେତ ୩ ଗିରଫ

ଅପରାଧ

ଫୁଲବାଣୀ : କନ୍ଧମାଳରେ ଖାକିରେ ପୁଣି ଗଂଜେଇ ମହକ। ଜଣେ ପୁଲିସ କନେଷ୍ଟବଳ ୨ ଜଣ ସହଯୋଗୀଙ୍କ ସହ ଫିରିଙ୍ଗିଆ ଅଞ୍ଚଳରୁ ବାହାରକୁ ଗଞ୍ଜେଇ ଚାଲା‌ଣ କରୁଥିବା ବେଳେ ଧରା ପଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ ଜବତ ହୋଇଛି। ଏଥିସହ ପୁଲିସ ଏକ ଟାଟା ସୁମୋ ଗାଡ଼ି ସହ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ମାଫିଆ ପୁଲିସ କନେଷ୍ଟବଳ ଜଣକ ହେଉଛନ୍ତି ବସନ୍ତ ନାହାକ। ଗଞ୍ଜେଇ ଚାଲାଣ ଓ ଚାନ୍ଦା ମାଗିବା ଭଳି ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ଅଛି। ଏ ନେଇ ୨ରୁ ୩ଟି ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।

ଏଭଳି କାମ ପାଇଁ ତାଙ୍କୁ ଏସ୍‌.ପି ପୂର୍ବରୁ ନିଲମ୍ବିତ କରିଥିଲେ। ନିଲମ୍ବିତ ପୁଲିସ କନେଷ୍ଟବଳ ବସନ୍ତ ନାହାକ ଓ ତାଙ୍କର ୨ ସହଯୋଗୀ ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ସାହାଣୀ ମିଶି ଗତକାଲି ଏକ ଟାଟା ସୁମୋ(ଓଆର୦୨ଏଟି୯୩୬୯)ରେ ଗଞ୍ଜେଇ ଧରି ଫୁଲବାଣୀକୁ ଆସୁଥିଲେ। ବିଶେଷ ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓ ସଦଳବଳେ ସିମିଳିସାହି-ଡିମିରିଗୁଡା ରାସ୍ତାରେ ଜଗି ଟାଟା ସୁମୋକୁ ଅଟକାଇ ଥିଲେ। ଯାଞ୍ଚ ପରେ ଗାଡ଼ିରୁ ୩୦ କିଲୋ ଗଞ୍ଜେଇ ଓ ୧ ଲକ୍ଷ ୧୩ହଜାର ଟଙ୍କା ମିଳିଥିଲା। ମିଳିଥିବା ଟଙ୍କା ସବୁ ଜାଲ୍‌ ନୋଟ ବୋଲି ପରେ ଜଣା ପଡିଥିଲା। ଏ ନେଇ ପୁଲିସ କେସ୍‌ ନମ୍ବର ୪୮/୨୦୨୦ରେ ଏକ ମାମଲା ରୁଜୁ କରିବା ଅଭିଯୁକ୍ତ ପୁଲିସ କନେଷ୍ଟବଳ ବସନ୍ତ ନାହାକ ଓ ତାଙ୍କର ୨ ସହଯୋଗୀ ମଧୁସୂଦନ ଓ ବଳଭଦ୍ରଙ୍କୁ ଗିରଫ କରିଥିଲା । ଗିରଫ ୩ ଜଣଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଗଂଜେଇ ଓ ଜାଲ୍‌ ନୋଟ ନେଇ ପୁଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *