ଭଦ୍ରକ : ଚାରିଆଡ଼େ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ଦିଆଯାଉଛି ସତ କିନ୍ତୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନଙ୍କ ମନମୁଖୀ କାର୍ଯ୍ଯ ସାଧାରଣ ଜନତାଙ୍କ ମନରେ କ୍ଷୋଭର କାରଣ ହୋଇଛି। ଆଜି ଅପରାହ୍ଣ ସମୟରେ ଏପରି ଏକ ଅଭାବନୀୟ ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟି ଯାଇଛି। ଜଣେ ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l
ସୂଚନା ଅନୁଯାୟୀ, ଧୂଷୁରୀ ଥାନା ଠାକୁରପାଟଣା ଗାଁର ସତ୍ୟେନ୍ଦୁ ମଲିକ ଗାଡ଼ିଆରେ ପଡି ଯାଇଥିଲେ l ଗୁରୁତର ଅବସ୍ଥାରେ ଧୂଷୁରୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିଲା l ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା l ରୋଗୀଟିର ମୃତ୍ୟୁ ପରେ ମେଡିକାଲରେ ଦେଖାଦେଇଥିଲା ଉତ୍ତେଜନା l ମୃତ ବ୍ୟକ୍ତିଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀଙ୍କ ସହ ପାଟି ତୁଣ୍ଡ କରିବା ସହ ଧସ୍ତାଧସ୍ତି କରିଥିଲେ l ପରେ ପୋଲିସ ପହଁଚି ଘଟଣାକୁ ଆୟତ୍ତ କରିଥିଲେ l ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ଉତ୍ତେଜନା ଖବର ପାଇଁ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚିଥିଲା । ତେବେ ଭଦ୍ରକ ମେଡିକାଲରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ସାଧାରଣରେ ତୀବ୍ର ନିନ୍ଦା ସହ ଦାୟିତ୍ବ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।