ଚୀନ ସାମଗ୍ରୀ ବର୍ଜନ କଲା ଭାରୋତ୍ତୋଳନ ମହାସଂଘ

କ୍ରୀଡ଼ା

ନୂଆଦିଲ୍ଲୀ: ଦେଶର ପ୍ରଥମ କ୍ରୀଡ଼ା ମହାସଂଘ ଭାବେ ଭାରତୀୟ ଭାରୋତ୍ତୋଳନ ମହାସଂଘ( ଆଇଡବ୍ଲ୍ୟୁଏଲଏଫ୍) ଚୀନ ତିଆରି ସାମଗ୍ରୀ ବ୍ୟବହାର କରିବା ବନ୍ଦ କରିଛି। ତା’ ସହ ଅନ୍ୟ କ୍ରୀଡ଼ା ମହାସଂଘଗୁଡ଼ିକୁ ମଧ୍ୟ ଏଭଳି କରିବାକୁ ଆହ୍ବାନ କରିଛି। ମହାସଂଘ ଗତବର୍ଷ ଜେଡ୍‌କେସି ନାମକ ଏକ ଚାଇନା କଂପାନିଠାରୁ ବିଭିନ୍ନ ଭାରୋତ୍ତୋଳନ ଉପକରଣ ଆମଦାନୀ କରିଥିଲା। ପରେ କିନ୍ତୁ ଏହା ଅତ୍ୟନ୍ତ ନିମ୍ନ ମାନର ଓ ଖରାପ ବୋଲି ଜଣାପଡ଼ିଥିଲା। ଏଣୁ ସେଗୁଡ଼ିକୁ ଏବେ ଭାରତୀୟ ଖେଳାଳି ବ୍ୟବହାର କରୁ ନଥିଲା ବେଳେ ଆଗକୁ ମହାସଂଘ ଆଉ କୌଣସି ଚୀନ ଉପକରଣ ଉପଯୋଗ କରିବ ନାହିଁ ବୋଲି ଆଇଡବ୍ଲ୍ୟୁଏଲଏଫ୍ ସାଧାରଣ ସଂପାଦକ ସହଦେବ ଯାଦବ କହିଛନ୍ତି। ଏହି ବିଷୟ ମହାସଂଘ ପତ୍ର ଲେଖି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ମଧ୍ୟ ଜଣାଇ ଦେଇଛି। ଉପକରଣଗୁଡ଼ିକ ଖରାପ ସ୍ଥିତିରେ ଭାରତ ଆସିଥିଲା, ଆମ ଖେଳାଳିମାନେ ଏଥିନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହିଭଳି ଜାତୀୟ ପ୍ରଶିକ୍ଷଣ ଶିବିରରେ ଥିବା ସମସ୍ତ ଭାରୋତ୍ତୋଳକ ଏବେ ଚୀନକୁ ବିରୋଧ କରୁଛନ୍ତି। ସେମାନେ ଟିକଟକ୍ ଭଳି ଚାଇନା ଆପ୍‌କୁ ବ୍ୟବହାର କରିବା ବନ୍ଦ କରି ଦେଇଛନ୍ତି। ସେହିଭଳି ଚୀନ୍ ତିଆରି ସାମଗ୍ରୀ ଅନଲାଇନ୍‌ରେ କିଣିବାରୁ ମଧ୍ୟ ବିରତ ରହୁଛନ୍ତି ବୋଲି ଜାତୀୟ ପ୍ରଶିକ୍ଷକ ବିଜୟ ଶର୍ମା କହିଛନ୍ତି। ସୂଚନାଯୋଗ୍ୟ ଯେ ଲଦାଖର ଗଲୱାନ ଘାଟିରେ ବିଶ୍ବାସଘାତକ ଚୀନର ଚଞ୍ଚକତା ପାଇଁ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଦେଶ ସାରା ଚୀନ ନିର୍ମିତ ସାମଗ୍ରୀ ବର୍ଜନ କରିବାର ଭାବନା ଜାଗ୍ରତ ହୋଇଛି। ଦେଶସାରା ଚୀନ୍ ବିରୋଧରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ମଧ୍ୟ ହେଉଛି।

Leave a Reply

Your email address will not be published. Required fields are marked *