ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଂଚାୟତରେ ୨୦୧୯ ବର୍ଷର ଫସଲବୀମା କ୍ରପ କଟିଙ୍ଗ ରିପୋର୍ଟରେ ହେରଫେର ହୋଇଥିବା ଯୋଗୁଁ ଚାଷୀ ଫସଲବୀମାରୁ ବଂଚିତ ହୋଇଥିବା ଅଭିଯୋଗ କରି ଚାଷୀ ସିଂଧେକେଲା ଗ୍ରାମ ପଂଚାୟତ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ଅଭିଯୋଗ କରିଛନ୍ତି ଯେ ଜାମଖୁଣ୍ଟା ପଂଚାୟତ ପାଖ ଗନ୍ଧରଲ, ଭୂଷଲାଡ଼, ଝଲପ ପଂଚାୟତ ମାନଙ୍କରେ ସାମାନୁପାତିତ ବର୍ଷା ହୋଇଥିଲା । କିନ୍ତୁ କ୍ରପ କଟିଙ୍ଗ ସମୟରେ ବିଭାଗୀୟ କତ୍ତୁପକ୍ଷ ଓ ଇନ୍ସୁରାନ୍ସ କମ୍ପାନୀର ପ୍ରତିନିଧି ମିଶି ଅହେତୁକ ଚାଷୀଙ୍କୁ ଅର୍ଥ ଦାବି କରିଥିଲେ । ଯାହା ଫଳରେ ଗରିବ ନିରୀହ ଚାଷୀ ଟଙ୍କା ପାଇବାରୁ ଜାମଖୁଣ୍ଟା ପଂଚାୟତର କ୍ରପ କଟିଙ୍ଗ ରିପୋର୍ଟକୁ ସଠିକ ମୂଲ୍ୟାଙ୍କନ ନକରି ସରକାରଙ୍କୁ ଭୁଲ ରିପୋର୍ଟ ଦେଇଛନ୍ତି । ଜାମଖୁଣ୍ଟା ପଂଚାୟତର ଅଧ କିଲୋମିଟର ଥିବା ପାଖ ଗନ୍ଧରଲା, ଭୂଷଲାଡ଼, ଝଲପ ପଂଚାୟତର ଚାଷୀ ମାନଙ୍କ ବୀମା ଟଙ୍କା ମିଳିଥିବା ବେଳେ ଜାମଖୁଣ୍ଟା ପଂଚାୟତର ଚାଷୀ ମାନଙ୍କୁ ବୀମା ପ୍ରଦାନରେ ସମ୍ପୂର୍ଣ୍ଣ ଦାବି ଦିଆଯାଇଛି । ତେବେ ଚାଷୀଙ୍କ ଆନ୍ଦୋଳନ ଖବର ପାଇ ବଙ୍ଗୋମୁଣ୍ଡା ତହସିଲଦାର ଆନ୍ଦୋଳନ ସ୍ଥଳକୁ ଯାଇ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାସୁଝା କରିଥିଲେ । ଚାଷୀଙ୍କ ସମସ୍ୟା ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ଚାଷୀ । ତେବେ ଆଗାମୀ ଦିନରେ ଯଦି ଚାଷୀଙ୍କ ଦାବି ପୂରଣ ନହେଲା ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।
