ପୁରୀ: ସ୍ୱାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ ଚାଲିଗଲେ ସ୍ତ୍ରୀ। ୨ ଦିନ ତଳେ ଆଖି ବୁଜିଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।
ପରିବାର ତରଫରୁ ମିଳିଥିବା ସୂଚନାନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା ସହ ଖିଆପିଆ ବି ଛାଡ଼ିଦେଇଥିଲେ। ତେବେ ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ହଠାତ୍ ପ୍ରେମାନନ୍ଦ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ମାତ୍ର ଦୁଇ ଦିନ ଭିତରେ ପରିବାରର ଦୁଇ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହରାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।