ଇମ୍ଫାଲ୍ : ମଣିପୁରରେ ବିଜେପି ଶାସନର ଅନ୍ତ ଘଟିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓକ୍ରାମ୍ ଇବୋବି ସିଂହଙ୍କ ନେତୃତ୍ବରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୩ ବିଜେପି ବିଧାୟକଙ୍କ ସମେତ ୯ ବିରୋଧୀ ବିଧାୟକ ରାଜ୍ୟ କଂଗ୍ରେସରେ ଯୋଗ ଦେବାପାଇଁ ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଦଳୀୟ ନେତାମାନେ ମଣିପୁର ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି କରିବେ। ମଣିପୁର ବିଜେପିରେ ଫାଟ ଦେଖାଦେଇଛି। ନେତାମାନେ ବିଜେପି ଏବଂ ଏନ୍ପିପିରୁ ଓହରି ଆସି କଂଗ୍ରେସକୁ ସମର୍ଥନ କରୁଛନ୍ତି। ତେବେ କଂଗ୍ରେସ ବିଧାନସଭା ଦଳ ନେତା ଓ ଇବୋବି ସିଂହ କହିଛନ୍ତି, ତାଙ୍କ ଦଳ ମଣିପୁରରେ ଏକ ମେଣ୍ଟ ସରକାର ଗଠନ ପାଇଁ ଚେଷ୍ଟା କରୁଛି। ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ ଖୁବ୍ ଶୀଘ୍ର ଅନାସ୍ଥା ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସିଂହ କହିଛନ୍ତି ବିଧାନସଭାରୁ ଇସ୍ତଫା ଦେଇଥିବା ୩ ବିଜେପି ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ସେହିପରି ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ଏନ୍ପିପିର ୪ ମନ୍ତ୍ରୀଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଏନ୍ ବିରେନ ସିଂହ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବ । ଖୁବ୍ଶୀଘ୍ର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।
