ୱାସିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଶା ସାରା ବିଶ୍ୱର ଘାତକ କୀଟମାନଙ୍କ ମଧ୍ୟରୁ ଗୋଟିଏ। ମଶା ଦାଉରୁ ରକ୍ଷା ପାଇବା ଲାଗି ଆମେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାଉ। ହେଲେ ଆପଣ କ’ଣ ଜାଣନ୍ତି କି ଆମେରିକୀୟ ବୈଜ୍ଞାନିକମାନେ ଏବେ ଏକ ନୂଆ ଔଷଧ ତିଆରି କରୁଛନ୍ତି। ଏହାର ପ୍ରୟୋଗରେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରୁ ମଧ୍ୟ ରକ୍ଷା ମିଳିବ।
ଆମେରିକୀୟ ବୈଜ୍ଞାନିକମାନେ ମଶାମାନଙ୍କ ପାଇଁ ଏଭଳି ଏକ ପ୍ରୋଟିନ୍ ପ୍ରସ୍ତୁତ କରିଛନ୍ତି, ଯାହାର ପ୍ରୟୋଗ ଫଳରେ ମଶାଙ୍କର ଜନ୍ମ ନିୟନ୍ତ୍ରଣ ସମ୍ଭବ। ୟୁନିଭର୍ସିଟି ଅଫ୍ ଆରିଜୋନାର ଗବେଷକମାନେ କହିଛନ୍ତି ଯେ, ସେମାନେ ମଶାମାନଙ୍କ ପାଇଁ ଏଭଳି ପ୍ରୋଟିନ୍ ତିଆରି କରିଛନ୍ତି, ଯାହା ଜରିଆରେ ମଶାମାନଙ୍କର ଭ୍ରୁଣ ଦେହ ଭିତରେ ହିଁ ମରିଯିବ। ଏହି ପ୍ରୋଟିନ୍ର ପ୍ରୟୋଗ ଫଳରେ ମଶା ଓ ମହୁମାଛିଙ୍କ ସଂଖ୍ୟା ବି କମିଯିବ ବୋଲି ସେମାନେ କହିଛନ୍ତି।
ୟୁନିଭର୍ସିଟି ଅଫ୍ କେମେଷ୍ଟ୍ରି ଆଣ୍ଡ୍ ବାୟୋକେମେଷ୍ଟ୍ରି ବିଭାଗର ମୁଖ୍ୟ ରୋଜର୍ ମିସ୍ ଫେଲ୍ଡ କହିଛନ୍ତି ଯେ,ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର। ଏହା ଫଳରେ କେବଳ ଯେ ମଶାଙ୍କ ସଂଖ୍ୟା ଉପରେ ନିୟନ୍ତ୍ରଣ ଅଣାଯାଇପାରିବ, ତା’ ନୁହେଁ ବରଂ ମନୁଷ୍ୟ ପୂର୍ବପେକ୍ଷା ଅଧିକ ସୁରକ୍ଷିତ ମଧ୍ୟ ରହିବ। ଆଗାମୀ କିଛି ବର୍ଷ ଭିତରେ ଏହି ପ୍ରୋଟିନ୍ର ପ୍ରୟୋଗ ଫଳରେ ମଶାମାନଙ୍କ ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।