ଶ୍ରେଷ୍ଠ ୩ ପାୱାର`ପ୍ଲେ ବ୍ୟାଟ୍ସମ୍ୟାନ୍ ବାଛିଲେ ହଗ୍: ଗେଲ୍ ଓ କୋହଲିଙ୍କଠୁ ରାଇନା, ୱାର୍ନର ଓ ବଟଲର ଭଲ

କ୍ରୀଡ଼ା

ସିଡନି: ଆଇପିଏଲ୍‌ର ତିନି ଜଣ ଶ୍ରେଷ୍ଠ ପାୱାର ପ୍ଲେ ବ୍ୟାଟ୍ସମ୍ୟାନ୍ ତାଲିକାରେ ବିରାଟ କୋହଲି ଓ କ୍ରିସ୍ ଗେଲଙ୍କୁ ରଖିନାହାନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍। ବରଂ ଏହି ତାଲିକାର ‌ଶ୍ରେଷ୍ଠ ୩ ବ୍ୟାଟ୍ସମ୍ୟାନ୍ ତାଲିକାରେ ସେ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା, ଅଷ୍ଟ୍ରେଲିଆର ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଓ ଇଂଲଣ୍ଡର ‌ଯୁବ ତାରକା ଜୋସ୍ ବଟଲରଙ୍କୁ ସ୍ଥାନ ଦେଇଛନ୍ତି। ପ୍ରଥମ ସ୍ଥାନରେ ୱାର୍ନରଙ୍କୁ ରଖି ହଗ୍ କହିଛନ୍ତି ଯେ ୱାର୍ନରଙ୍କର ପଡ଼ିଆର ଉଭୟ ପାର୍ଶ୍ବକୁ ସଟ୍ ଖେଳିବାର ଦକ୍ଷତା ରହିଛି। ବିଶେଷକରି ଅଫ୍‌ ସାଇଡ୍‌ ସଟ୍‌ ଖେଳିବାରେ ସେ ଖୁବ୍‌ ଶକ୍ତିଶାଳୀ। ପୁଣି ୱିକେଟ୍ ଭିତରେ ଦ୍ରୁତ ଗତିରେ ଦୌଡ଼ି ସେ ସବୁବେଳେ ସିଙ୍ଗଲ ଚୋରାଇ ନେବାର ଲକ୍ଷ୍ୟରେ ଥଆନ୍ତି। ଏହା କରି ୱାର୍ନର ନିଜ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରନ୍ତି। ରାଇନା ନିର୍ଦିଷ୍ଟ କେତେକ ବୋଲରଙ୍କୁ ଲକ୍ଷ୍ୟ କରି ନିର୍ଧୂମ ପ୍ରହାର କରିବା ସାଙ୍ଗକୁ ଅନେକ ସମୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ସଙ୍କଟଜନକ ସ୍ଥିତିରୁ ବାହାରକୁ ଆଣିଛନ୍ତି। ସେଥିପାଇଁ ସେ ଦ୍ବିତୀୟ ସ୍ଥାନରେ ରହିବାର ହକ୍‌ଦାର ବୋଲି ହଗ୍ କହିଛନ୍ତି। ସଂଯୋଗବଶତଃ ରାଇନା ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସ୍କୋର୍‌ର ତାଲିକାର ଦ୍ବିତୀୟ ସ୍ଥାନରେ ଥିଲା ବେଳେ କୋହଲି ଶୀର୍ଷରେ ଅଛନ୍ତି। ୩୩ ବର୍ଷ ବୟସ୍କ ରାଇନା ଏକମାତ୍ର ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଯିଏକି ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ଜମାଇବାର ଗୌରବ ପାଇଛନ୍ତି। ପୁଣି ରାଇନା‌ ମଧ୍ୟ ତାଙ୍କ ପଦାର୍ପଣ ଟେଷ୍ଟ୍‌ରେ ଶତକ ଜମାଇଥିଲେ।

Leave a Reply

Your email address will not be published. Required fields are marked *