ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସହିଦ୍ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ।
କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍କୁ ଅଧିକ ଷ୍ଟାଣ୍ଡାଡାଇଜ କରାଯାଇଛି । ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ବାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।
ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି । ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏତ୍ଦବ୍ୟତିତ ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।
କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ ।
ଏହି ବୈଠକରେ ଉନ୍ନୟନଚସକମିଶନର, ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।