ପାରାଦୀପ: ସ୍ୱାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ବିବାହର ୧୨ ବର୍ଷ ପରେ ସ୍ତ୍ରୀ କଟୁରୀରେ ହାଣି ହତ୍ୟା କରିଛି ସଇତାନ ସ୍ୱାମୀ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ ।
ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା ଗାଁରେ ପାରିବାରିକ କଳିରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ସ୍ବାମୀ ମେଘନାଦ ତରାଇ ଓ ସ୍ତ୍ରୀ ପାର୍ବତୀ ତରାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ପରେ ଉତ୍ୟକ୍ତ ହୋଇ ମେଘନାଦ ଏକ କଟୁରୀରେ ପାର୍ବତୀଙ୍କୁ ଆକ୍ରମଣ କରିଥିଲା । ଏହାଦେଖି ମେଘନାଦଙ୍କ ବାପା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଶୁଣି ନଥିଲା । ସେପଟରେ କଟୁରୀ ଚୋଟରେ ପାର୍ବତୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ସେପଟେ ପତ୍ନୀହନ୍ତା ସ୍ୱାମୀ ମେଘନାଦକୁ ଗିରଫ କରି କରି କୁଜଙ୍ଗ ଥାନା ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି।