ଆଜିକୁ ୪୫ ବର୍ଷତଳେ ରଥଯାତ୍ରା ଭଳି ଏକ ପବିତ୍ର ତିଥିରେ ଜନ୍ମ ନେଇଥିଲା – ଓଡ଼ିଶା ଶିଳ୍ପଜଗତର ଏକ ନୂଆ ସମ୍ଭାବନା ‘ରୁଚି’। କଟକର ମଧୁପାଟଣା ଶିଳ୍ପାଚଂଳ – ଯାହା ଦିନେ ଉତ୍କଳଗୌରବ ମଧୁବାବୁଙ୍କ ପୁଣ୍ୟସ୍ମୃତିରେ ହୋଇ ଉଠିଥିଲା ସ୍ମରଣୀୟ, ସେହି ଭୂମିରେ ନିଜ ଜନ୍ମଜାତକର ଅୟମାରମ୍ଭ କରିଥିଲା ଏଇ ଅନୁଷ୍ଠାନ। ଆଜି ତା’ର ୪୫ତମ ଶୁଭ ସ୍ବନକ୍ଷତ୍ର ପାଳନ କରୁଛି ଭାରତୀୟ ଶିଳ୍ପ ସମ୍ରାଜ୍ୟର ଏଇ ସମୃଦ୍ଧ ଓ ବିକଶିତ ଉଦ୍ୟୋଗଟି। ଓଡ଼ିଶାର ପୁରପଲ୍ଲୀଠାରୁ ଭାରତର ଊଣାଅଧିକ ମହାନଗରୀରେ ‘ରୁଚି’ର ଉପସ୍ଥିତି ଆଜି ବେଶ୍ ଉତ୍ସାହଜନକ। ଆମ ରାଜ୍ୟର ପ୍ରତିଟି ରୋଷେଇଘରେ ‘ରୁଚି’ ମସଲାର ମହକ। ଆଉ ଏହି ମହକ ପଛର କୁହୁକଟି ହେଉଛି କୋଟି କୋଟି ଓଡ଼ିଆଙ୍କ ସ୍ନେହ-ଶ୍ରଦ୍ଧା ଓ ଭଲପାଇବା।
