ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧ ମାସ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇ ନାହିଁ ପୋଲିସ।
ଘଟଣାସ୍ଥଳ ପାଖରେ ଥିବା ଗୋଟିଏ ଇଟା ଭାଟିରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍ ତଦନ୍ତ କରିଥିଲା। ଏହାପରେ ଝରାଫୁଲଙ୍କ ବାପା ରାକେଶ ନାମକ ଯୁବକର ସଂପୃକ୍ତି ନେଇ ଇସାରା କରିଥିଲେ। ଏହାପରେ ପୋଲିସ ସେହି ଦିଗରେ ତଦନ୍ତ କରିଥିଲା। ଧୀରେ ଧୀରେ ଖୋଲିଲା ଘଟଣାର ଗୋଟିଏ ପରେ ଗୋଟିଏ ଗୁମର।
ଅନ୍ୟପଟେ, ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ଯାଜପୁର ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।
ତିନି ଦିନିଆ ରିମାଣ୍ଡରେ ଯାଇଥିବା ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଗିରଫଅଭିଯୁକ୍ତ ରାକେଶ ସ୍ୱାଇଁ ଫେବୃଆରୀ ୫ରେ ଜେଲ୍କୁ ଫେରିଥିଲେ।
ଫେବୃଆରୀ ୪ରେ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ପୋଲିସ୍ ରାକେଶଙ୍କର ସ୍କୁଟର ଜବତ କରିଥିଲା। ଏହା ପରଦିନ ଅର୍ଥାତ୍ ଫେବୃଆରୀ ୫ରେ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,ଶର୍ଟକୁ ପୋଲିସ୍ ଜବତ କରିଥିଲା। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିଲା।
ଆହୁରି ମଧ୍ୟ ଜାନୁଆରୀ ୨୭ ତାରିଖ ଦିନ ବାଣୀବିହାର ନିକଟରେ ବସ୍ରୁ ଓହ୍ଲାଇ ରାକେଶଙ୍କ ସହ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ବିରିଆନି ଦୋକାନକୁ ଯିବା ଓ ଖଣ୍ଡଗିରି ଧର୍ମବିହାରସ୍ଥିତ ଗେଷ୍ଟ୍ ହାଉସ୍ରେ ରାତି ବିତାଇବା ପର୍ଯ୍ୟନ୍ତ ସବୁକିଛି ଛାନ୍ଭିନ୍ କରି ବାହାର କରିଥିଲା ଯାଜପୁର ପୋଲିସର ୨ ଟିମ୍ ଏବଂ ଭୁବନେଶ୍ୱର କମିଶନରେଟ୍ ପୋଲିସ।
ଭୁବନେଶ୍ୱରରୁ ସ୍କୁଟିରେ ମୃତଦେହକୁ ନେଇ ଯାଜପୁରରେ ଫିଙ୍ଗିବା ପର୍ଯ୍ୟନ୍ତ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତକୁ ଏବେବି ପୋଲିସ ଧରି ପାରିନାହିଁ।
ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ପୋଲିସ ପାଖରେ ରହିଛି। ଯେଉଁଥିରେ ରହିଛି ଝରାଫୁଲର ମୃତ୍ୟୁ ରହସ୍ୟ। ଯାହାକୁ ଏଯାଏଁ ପୋଲିସ ପ୍ରକାଶ କରିନାହିଁ।ତଦନ୍ତ ପ୍ରକ୍ରିୟାକୁ ଯଥାସମ୍ଭବ ଗୋପନ ରଖାଯିବାକୁ ପୋଲିସ ଚେଷ୍ଟା କରୁଛି। ଏସ୍ପିଙ୍କଠାରୁ ଆରମ୍ଭ କରି ତଦନ୍ତକାରୀ ଟିମ୍ ଅଧିକାରୀମାନେ ଗଣମାଧ୍ୟମକୁ ମାପିଚୁପି ତଥ୍ୟ ଓ ପ୍ରତିକ୍ରିୟା ଦେଉଛନ୍ତି।
ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ନୀରବତା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ତ ତଥ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଅକ୍ତିଆରରେ ଥିବା ସତ୍ତ୍ୱେ ତଦନ୍ତ ପକ୍ରିୟାରେ ଏତେ ବିଳମ୍ବ ପୋଲିସର ପରିବା ପାଣିଆ ଉପରେ ସନ୍ଦେହ ସୃଷ୍ଟି କରୁଛି।