ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ଯାତ୍ରା ହେଉ ଅବା ମେଲୋଡି ସବୁଠି ଆଇଟମ ଗାର୍ଲଙ୍କ ଚାହିଦା ବଢ଼ିବାରେ ଲାଗିଛି। ଏପରିକି କିଛି ସ୍ଥାନରେ ପୁରା ଉଲଗ୍ନ ହୋଇ ନାଚିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସାଧାରଣତଃ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହାକୁନେଇ ଅନେକ ସ୍ଥାନରେ ତୁମ୍ବି ତୋଫାନ ମଧ୍ୟ ଦେଖାଦେଉଛି । ବେଳେବେଳେ କିଛି ନର୍ତ୍ତକୀଙ୍କୁ ଲୋକେ ଷ୍ଟେଜ ଉପରେ ମଧ୍ୟ ଉଚିତ ଜବାବ ଦେଉଛନ୍ତି । କେତେବେଳେ ପ୍ଲାଷ୍ଟିକ ଚେୟାର ମାଡ ଆଉ କେତେବେଳେ ପାଣି ବତଲ ମାଡ। ହେଲେବି ସୁଧୁରୁନାହାନ୍ତି କିଛି ନର୍ତ୍ତକୀ। ଅନ୍ୟପଟେ କିଛି ସମାଜସେବୀ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା କଲେ ସୁଦ୍ଧା କାହା ସାମ୍ନାରେ ମୁହଁ ଖୋଲୁନାହାନ୍ତି। ଏପରିକି କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରୁନାହାନ୍ତି।
ଅନ୍ୟପଟେ ଆମେ କିଛି ଯାତ୍ରା ସହ ଜଡିତ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରୁଥିଲୁ ତାଙ୍କ କହିବା ଅନୁଯାୟୀ, ସେମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ଯାତ୍ରା କରିବା ଅସମ୍ଭବ ବୋଲି ମତ ରଖିଛନ୍ତି। ଜଣେ ଯାତ୍ରାର ଜଣାଶୁଣା ପ୍ରଯୋଜକ ଏନେଇ ଅନେକ ପ୍ରଶ୍ନ କରି ସାମାଜିକ ଗଣମାଧ୍ୟମରେ ନିଜ ମତାମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ଏଥିପାଇଁ କିଏ ଦାୟୀ ତାହା ବୁଝିବା ମୁସ୍କିଲ। ଯାତ୍ରା ଯେତେ ଭଲ ହେଲେ ମଧ୍ୟ କମିଟି ନର୍ତ୍ତକୀ ଆଣିବାକୁ ବାଧ୍ୟ କରୁଛନ୍ତି, ନ ଆଣିଲେ ଟଙ୍କା କାଟିବା ଧମକ ଦେଉଛନ୍ତି। ସେପଟେ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଲେ ମଧ୍ୟ ଆସିବା ସମୟରେ ପ୍ରବଳରୁ ଅତି ପ୍ରବଳ ଭିଡ ଦେଖିବାକୁ ମିଳୁଛି। କେଉଁଠି ନା କେଉଁଠି ଦର୍ଶକ ମଧ୍ୟ ଏହାକୁ ପ୍ରଶ୍ରୟ ଦେବାକଥା କହିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଯାତ୍ରାରେ ଭଲ ନାଟକ ନୁହଁ ନର୍ତ୍ତକୀ ପାଇଁ ବଂଚିବାକୁ ହେବ ବୋଲି ସେ କହିଛନ୍ତି।
ଏନେଇ ଯୁବ ଆଇନୀଜୀବୀ ବରୁଣାଦିତ୍ୟ ମହାପାତ୍ର କହିଛନ୍ତି, ଖୋଲା ମଞ୍ଚରେ ଉଲଗ୍ନ ହେବା, ଲୋକଙ୍କ ସାମ୍ନାରେ ଗୁପ୍ତାଙ୍ଗ ଦେଖାଇବା ଏହା ଏକ ଦଣ୍ଡନୀୟ ଅପରାଧ। ଏପରି କରୁଥିବା ବ୍ୟକ୍ତିଙ୍କ ଉପରେ BNS Sec-77 ଅନୁଯାୟୀ 1 ବର୍ଷରୁ 3 ବର୍ଷ ଯାଏ ଜେଲ ଦଣ୍ଡ ହୋଇପାରେ। ଥରେ ଦଣ୍ଡ ପରେ ପୁନର୍ବାର ଏପରି କଲେ ତାଙ୍କୁ 7 ବର୍ଷ ଯାଏ ଜେଲ ଦଣ୍ଡ ସହ ମୋଟା ଅଙ୍କର ଫାଇନ ଦେବାକୁ ପଡିପାରେ। କେବଳ ନର୍ତ୍ତକୀ ନୁହନ୍ତି ତାଙ୍କୁ ନାଚିବା ପାଇଁ କହିଥିବା ବ୍ୟକ୍ତି ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି । ସେହିପରି BNS Sec-76 ଅନୁଯାୟୀ ସ୍ତ୍ରୀ ଲୋକଙ୍କୁ ଉଲଗ୍ନ ହେବାକୁ ପ୍ରଲୋଭିତ କିମ୍ବା ବାଧ୍ୟ କରାଯାଏ ଏଥିରେ 3 ବର୍ଷରୁ 7 ବର୍ଷ ଜେଲ ଦଣ୍ଡ ସହ ମୋଟା ଅଙ୍କର ଫାଇନ ପଡିପାରେ। ଅନ୍ୟପଟେ ଏପରି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରଲ କରାଯାଉଛି। ଏହା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଯାହାକି Sec-67 (A) of Information Technology Act-2000 ଅନୁଯାୟୀ ନଗ୍ନତାକୁ ସାମଜିକ ଗଣମାଧ୍ୟମରେ ସେୟାର କଲେ 5 ବର୍ଷ ଜେଲ ସହ 10 ଲକ୍ଷ ଟଙ୍କା ଯାଏଁ ଫାଇନ ପଡିପାରେ। ପୁନର୍ବାର ଏହାକୁ କଲେ 7 ବର୍ଷ ଜେଲ ଦଣ୍ଡ ସହ 10 ଲକ୍ଷ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିପାରେ।
ତେବେ ଏପରି ନଗ୍ନତାକୁ ବିରୋଧ କରୁଥିବା ବ୍ୟକ୍ତି ତଥା ସମାଜସେବୀ ଆଇନର ଆଶ୍ରୟ ନେଲେ ଏପରି ନର୍ତ୍ତକୀ ଏବଂ ତାଙ୍କୁ ନେଇ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମାନେ କଠୋରରୁ କଠୋର ଦଣ୍ଡ ପାଇ ପାରିବେ ବୋଲି ଆଲୋଚନା ଏବେ ଜୋର ଧରିଛି।