ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍ଜିକ୍ୟୁଟିଭ୍ କମିଟି ଗଠନ ହେବା ପରେ ଏହା ହେଉଛି ପ୍ରଥମ ବୈଠକ। ଆସନ୍ତା ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ କାର୍ଯ୍ୟକାରିଣୀ ବୈଠକରେ ବିଶେଷ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ୩ଟି ବୈଠକ ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ, ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ବସିବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଏଥିରେ ସାମିଲ ହେବେ। ଧନ୍ୟବାଦ ପ୍ରସ୍ତାବ ସହିତ ଶୋକ ପ୍ରସ୍ତାକ, କୃଷି ଓ ଅର୍ଥନୈତିକ ପ୍ରସ୍ତାବ ଆଗତ କରାଯିବ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି।କମିଟି ଗଠନ ପରଠାରୁ ରାଜ୍ୟ କଂଗ୍ରେସ ବିବାଦ ଘେରରେ ରହିଛି। କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଭିତରେ ଚାଲିଥିବା ବିବାଦ ପ୍ରଥମେ କଂଗ୍ରେସ ଭବନ ପରେ ଦିଲ୍ଲୀରେ ପହଞ୍ଚିଥିଲା। ନିକଟରେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। ତେଣୁ ରାଜନୈତିକ ବ୍ୟାପାର କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।