ଭୁବନେଶ୍ବର : ରାଜସ୍ୱ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ। ଜଟଣୀ ନିର୍ବାଚନ ମଣ୍ଡଳୀରେ ଥିବା ସ୍ଥିତିବାନ ଜମି, ଯାହାକି ଜଗନ୍ନାଥଙ୍କ ସଂପତି କରି ଦିଆଯାଇଛି ତାହା ଗ୍ରାମବାସୀଙ୍କୁ ଫେରସ୍ତ ଓ ଜଟଣୀ ମହାବିଦ୍ୟାଳୟକୁ ସ୍ଥାୟୀ ଜମି ପ୍ରଦାନ ଦାବିରେ ନବ ନିର୍ମାଣର ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା।
ଆଜି ଦିନ ସାଢେ ଦଶଟା ସମୟରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ୟୁନିଟ୍ ୬ ଅଂଚଳରେ ଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରିଥିଲା। ସଂଗଠନ ୫୦ରୁ ଅଧିକ କର୍ମୀଙ୍କ ସମେତ ନବ ନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଭାପତି ମହମ୍ମଦ ମନୱର ଅଲ୍ଲୀ ବାସ ଭବନରେ ସମ୍ମୁଖରେ ପହଂଚି ପ୍ରଥମେ ନାରାବାଜି କରିଥିଲେ। ଏହା ପରେ ବାସ ଭବନ ଆଗରେ ବସି ରହି ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ହାତରେ ବ୍ୟାନର ଧରି ସରକାରୀ ବିରୋଧୀ ସ୍ଳୋଗାନ ସହ ପୁସିଂ କାର୍ଡ ଫୋପାଡି ଥିଲେ।
ମୁଖ୍ୟତଃ ୨ଟି ଦାବି ନେଇ ନବ ନିର୍ମାଣ ଯୁବଛାତ୍ର ସଂଗଠନ ଏହି ଘେରାଉ କରିଥିଲା। ପ୍ରଥମ ଦାବି ହେଉଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ସ୍ଥାନୀୟ ଗ୍ରାମବାସୀଙ୍କ (ଛଣଘର, କୁସୁମାଟି, କନ୍ତିଆ, କୁଦିିଆରି, ରଥିପୁର, ନିରଂଜନପୁର ଭଳି ଏକାଧିକ) ବହୁମୂଲ୍ୟ ସ୍ଥିତିବାନ ଜମି ପୁଣି ଥରେ ସେମାନଙ୍କ ନାମରେ କରାଯାଇ ସ୍ଥିତିବାନ କରାଯାଉ । ଏହି ଜମିକୁ ସରକାର କୌଶଳ କରି ୨୦୧୨ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ କରିଦେଇଥିବାରୁ ଉକ୍ତ ଜମି ବିନିମୟରେ ଗ୍ରାମବାସୀ ଋଣ ନେଇ ପାରୁନାହାନ୍ତି । ଏପରିକି ଏହା ଉପରେ ନିର୍ମାଣ କିମ୍ବା କିଣାବିକା କରି ପାରୁନାହାନ୍ତି । ଫଳରେ ଅନେକ ଗରିବ ଗ୍ରାମବାସୀ ଦୁର୍ଦିନରେ ରହିଛନ୍ତି । ଦ୍ୱିତୀୟ ଦାବି ହେଉଛି ଜଟଣୀ ମହାବିଦ୍ୟାଳୟ ଯେଉଁ ଜମି ଉପରେ ନିର୍ମାଣ ହୋଇଛି, ତାହାକୁ କଲେଜ ନାମରେ କରି ଦିଆଯାଉ । ଏହା ଏବେ ବି ସରକାରଙ୍କ ଅଧୀନରେ ଥିବାରୁ କଲେଜ, କୌଣସି ପ୍ରକାର ବିକାଶ କିମ୍ବା ନିର୍ମାଣ କାମ ସ୍ୱୟଂ କରି ପାରୁନାହିଁ । ପ୍ରତିକଥାରେ ସରକାରୀ ଅନୁମତି ମାଗିବାକୁ ପଡୁଛି ।
ଏହି ଘେରାଉରେ ନବ ନିର୍ମାଣ ଯୁବଛାତ୍ର ସଂଗଠନର ଭୁବନେଶ୍ୱର ସଭାପତି ଅମିତ୍ ଜେନା, ସଂଗଠନ ସହ ସଂଯୋଜକ ସାଇ ପ୍ରସାଦ ପଲେଇଙ୍କ ସହ ଆଗଧାଡିର କର୍ମୀ ବିଷ୍ଣୁ କୁମାର ବେହେରା, ଗୋପୀନାଥ ଗୁମାନସିଂ, ଜଟଣୀ କଲେଜ ପୂର୍ବତନ ସଭାପତି ଶୁବାସିଷ ପରିଡା, ଏସକେ ସୁନୀଲ ,ଯଶୋବନ୍ତ ଦାସ, ସ୍ମୃତି ରଂଜନ ସାମଲ ,କାର୍ତ୍ତକି ପ୍ରଧାନ, ରଂଜନ ନାୟକ, ସାର୍ଥକ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।