ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବସିଡି ବାବଦରେ ଖର୍ଚ୍ଚ ହୋଇଛି ୬୨୧ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା। ଏହି ସବସିଡିରେ ୩ ଲକ୍ଷ ୩ ହଜାର ୯୩୪ ଜଣ ହିତାଧିକାରୀ ଲାଭବାନ ହୋଇଛନ୍ତି। ଅନ୍ୟପଟେ ୧୪୫ଟି ଆବେଦନ ଏବେ ବି ବିଚାରାଧୀନ ରହିଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ବିଧାୟକ ଅନନ୍ତ କୁମାର ନାୟକ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ କ୍ରୟ ଉପରେ ସବସିଡି, ହିତାଧିକାରୀଙ୍କ ସଂଖ୍ୟା, ବିଚାରାଧୀନ ଆବେଦନ, ଚାର୍ଜିଂ ଷ୍ଟେସନ୍ର ସ୍ଥିତି ଏବଂ EV Policy 2.0କୁ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଆର୍ଥିକ ବର୍ଷୱାରୀ ଓ ଜିଲ୍ଲାୱାରୀ ତଥ୍ୟ ଉପସ୍ଥାପନ କରିଛନ୍ତି।
୨୦୨୬-୨୭ର ପ୍ରଥମ ୭ ମାସରେ ୨୩୦ କୋଟିରୁ ଅଧିକ ସବସିଡି
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରିଶିଷ୍ଟ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ୨୩ ହଜାର ୩୬୩ଟି ଇଲେକ୍ଟ୍ରିକ୍ ଯାନ ପାଇଁ ୧୩ କୋଟି ୮୭ ଲକ୍ଷ ୮୦ ହଜାର ୪୬ ଟଙ୍କା ସବସିଡି ଦିଆଯାଇଥିଲା।
ସେହିପରି ୨୦୨୩-୨୪ରେ ୪୬ ହଜାର ୮୨୫ଟି ଯାନ ପାଇଁ ୯୦ କୋଟି ୭୩ ଲକ୍ଷ ୬୩ ହଜାର ୭୮୩ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୪-୨୫ରେ ୬୩ ହଜାର ୭୬୫ଟି ଯାନ ପାଇଁ ୧୪୬ କୋଟି ୯ ହଜାର ୧୯୧ ଟଙ୍କା ସବସିଡି ଦିଆଯାଇଥିବା ବେଳେ ୨୦୨୫-୨୬ରେ ୮୨ ହଜାର ୪୮୭ଟି ଯାନ ପାଇଁ ୧୪୦ କୋଟି ୫୪ ଲକ୍ଷ ୮୬ ହଜାର ୫୯୪ ଟଙ୍କା ବ୍ୟୟ ହୋଇଛି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୭ ମାସ ଅର୍ଥାତ୍ ୧ ଏପ୍ରିଲରୁ ୩୧ ଅକ୍ଟୋବର ୨୦୨୬ ମଧ୍ୟରେ ୮୭ ହଜାର ୪୯୪ଟି ଯାନ ପାଇଁ ୨୩୦ କୋଟି ୧୨ ଲକ୍ଷ ୩୫ ହଜାର ୭୨୮ ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଏହା ସହିତ ସଂଲଗ୍ନ ବର୍ଷୱାରୀ ତାଲିକାରେ ଥିବା ମୋଟ ସବସିଡି ଖର୍ଚ୍ଚ ୬୨୧ କୋଟି ୨୮ ଲକ୍ଷ ୭୫ ହଜାର ୩୪୨ ଟଙ୍କାରେ ପହଞ୍ଚିଛି।
ଖୋର୍ଦ୍ଧାରେ ସର୍ବାଧିକ ୧୮୨ଟି ଚାର୍ଜିଂ ଷ୍ଟେସନ୍
ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ିବା ସହ ଚାର୍ଜିଂ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ ୧୦୭୮ଟି Public EV Charging Station କାର୍ଯ୍ୟକ୍ଷମ ଅଛି। ଏଥିମଧ୍ୟରୁ ୨୩ଟି ସରକାରୀ ଏବଂ ୧୦୫୫ଟି ଅନ୍ୟାନ୍ୟ ସଂସ୍ଥା, ତୈଳ କମ୍ପାନୀ ଓ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ।
ଜିଲ୍ଲାୱାରୀ ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୮୨ଟି ଚାର୍ଜିଂ ଷ୍ଟେସନ୍ ରହିଛି। କଟକରେ ୮୦ଟି, ଗଞ୍ଜାମ ଓ କେନ୍ଦୁଝରରେ ୬୫ଟି ଲେଖାଏଁ, ଯାଜପୁରରେ ୬୩ଟି, ବାଲେଶ୍ୱରରେ ୫୨ଟି ଏବଂ ସୁନ୍ଦରଗଡ଼ରେ ୪୯ଟି ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି।
ସେହିପରି ସମ୍ବଲପୁରରେ ୪୪ଟି, ପୁରୀରେ ୩୬ଟି, ବରଗଡ଼ରେ ୩୩ଟି, ଢେଙ୍କାନାଳରେ ୩୦ଟି, କୋରାପୁଟ ଓ କଳାହାଣ୍ଡିରେ ୨୯ଟି ଲେଖାଏଁ, କେନ୍ଦ୍ରାପଡ଼ାରେ ୨୭ଟି, ଝାରସୁଗୁଡ଼ାରେ ୨୩ଟି, ବଲାଙ୍ଗୀରରେ ୨୨ଟି ଏବଂ ମୟୂରଭଞ୍ଜ ଓ ନୟାଗଡ଼ରେ ୨୦ଟି ଲେଖାଏଁ ଚାର୍ଜିଂ ଷ୍ଟେସନ୍ ରହିଛି।
ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଜଗତସିଂହପୁରରେ ୧୯ଟି, ସୁବର୍ଣ୍ଣପୁରରେ ୧୮ଟି, ଭଦ୍ରକ ଓ ନବରଙ୍ଗପୁରରେ ୧୭ଟି ଲେଖାଏଁ, ବୌଦ୍ଧରେ ୧୨ଟି, ଦେବଗଡ଼, କନ୍ଧମାଳ ଓ ମାଲକାନଗିରିରେ ୮ଟି ଲେଖାଏଁ ଏବଂ ଗଜପତିରେ ସର୍ବନିମ୍ନ ୬ଟି ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି।
ଆଗକୁ ୧୬୧୫ଟି ଚାର୍ଜିଂ ଷ୍ଟେସନ୍ର ଯୋଜନା
ଆଗାମୀ ଦିନରେ ରାଜ୍ୟରେ ଚାର୍ଜିଂ ଷ୍ଟେସନ୍ ନେଟୱର୍କକୁ ଆହୁରି ବିସ୍ତାର କରିବା ପାଇଁ ଯୋଜନା ରହିଛି। ସରକାରୀ ତଥ୍ୟ ଅନୁସାରେ, PPP ମଡେଲ୍ରେ ୭୭ଟି ଚାର୍ଜିଂ ଷ୍ଟେସନ୍ର କାର୍ଯ୍ୟ ଚାଲିଛି। PM E-DRIVE ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୭୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୧୬ଟି ଷ୍ଟେସନ୍ ଯୋଜନାଭୁକ୍ତ ହୋଇଛି।
ଏହାବ୍ୟତୀତ ପାରାଦୀପ-ବଡ଼ବିଲ ହାଇପ୍ରାୟୋରିଟି କରିଡରରେ ୬ଟି ଏବଂ ପର୍ଯ୍ୟଟନ ବିଭାଗର ୱେସାଇଡ୍ ଆମେନିଟି ସେଣ୍ଟରରେ ୬୮ଟି ଚାର୍ଜିଂ ଷ୍ଟେସନ୍ ପାଇଁ ଯୋଜନା ଓ ପ୍ରସ୍ତାବ ରହିଛି। ଏହି ସମସ୍ତ ଯୋଜନାକୁ ମିଶାଇ ମୋଟ ୧୬୧୫ଟି ଚାର୍ଜିଂ ଷ୍ଟେସନ୍ର ଲକ୍ଷ୍ୟ ରଖାଯାଇଛି।
ଚାର୍ଜିଂ ଷ୍ଟେସନ୍ର ସ୍ଥାପନ ଓ ପରିଚାଳନା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, PPP ମଡେଲ୍ରେ ରାଜ୍ୟ ସରକାର କେବଳ ଜମି ଯୋଗାଇ ଦେଉଛନ୍ତି। ଏହାର ପରିଚାଳନା ପାଇଁ ସରକାର କୌଣସି ଅର୍ଥ ବ୍ୟୟ କରୁନାହାନ୍ତି।
EV Policy 2.0 କେବେ ଚୂଡ଼ାନ୍ତ ହେବ?
ଅନ୍ୟପଟେ ରାଜ୍ୟର ନୂଆ EV Policy 2.0କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ନୀତି ଚୂଡ଼ାନ୍ତ କରିବାରେ ବିଳମ୍ବର କାରଣ କ’ଣ ଏବଂ କେବେ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରାଯିବ, ସେନେଇ ବିଧାୟକ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, EV Policy 2.0 ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ଅଛି। ତେବେ ଏହା କେବେ ଚୂଡ଼ାନ୍ତ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଉତ୍ତରରେ ଉଲ୍ଲେଖ କରାଯାଇନାହିଁ।
ରାଜ୍ୟରେ EV କ୍ରୟ ପାଇଁ ବଢ଼ୁଥିବା ସବସିଡି ବ୍ୟୟ ଓ ଚାର୍ଜିଂ ଷ୍ଟେସନ୍ର ବିସ୍ତାର ମଧ୍ୟରେ ନୂଆ EV Policy 2.0 କେବେ ଆସିବ ଏବଂ ଏହା ରାଜ୍ୟର ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରକୁ କେତେ ନୂଆ ଦିଗ ଦେବ, ତାହା ଉପରେ ଏବେ ନଜର ରହିଛି।

