ହାରିବା ପରେ ବିରାଟଙ୍କ ବିରୋଧରେ ‘ଫେକ୍‌ ଫିଲ୍ଡିଂ’ର ଅଭିଯୋଗ ଆଣିଲା ବାଂଲାଦେଶ

Top Storise କ୍ରୀଡ଼ା ଦେଶ- ବିଦେଶ

ଆଡିଲେଡ: ଭାରତ ଠାରୁ ଚଳିତ ଟି-୨୦ ବିଶ୍ୱକପରେ ହାରିବା ପରେ ମଧ୍ୟ ବାଂଲାଦେଶ କ୍ରିକେଟର କିଛି ବି ଶିଖିବାକୁ ପାଇ ନାହାନ୍ତି। ବୁଧବାର ଭାରତ ବେଶ ରୋମାଞ୍ଚକର ଢଙ୍ଗରେ ବାଂଲାଦେଶକୁ ୫ ରନ(ଡିଏଲ ମେଥ)ରେ ହରାଇ ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ପକ୍କା କରିଛି।

ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚମତ୍କାର ତଥା ଅପରାଜିତ ୬୪ ରନର ଇନିଂସ ଖେଳିଥିଲେ। ତେବେ ମ୍ୟାଚ୍‌ ପରେ ବିରାଟଙ୍କ ବିରୋଧରେ ଆସିଛି ‘ଫେକ୍‌ ଫିଲ୍ଡିଂ ବା ହାତରେ ବଲ ନଥାଇ ବ୍ୟାଟରଙ୍କୁ ଚମକାଇବା କିମ୍ବା ଧ୍ୟାନଚ୍ୟୁତ’ କରିବା ଭଳି ଅଭିଯୋଗ।

ବାଂଲାଦେଶର ୱିକେଟ କିପର ବ୍ୟାଟର ନୁରୁଲ ହାସନ ଏପରି ଅଭିଯୋଗ ଆଣିଛନ୍ତି। ବିରାଟ ଫେକ ଫିଲ୍ଡିଂ କରିଥିଲେ ହେଁ ଏହାକୁ ଅମ୍ପାୟାର ଦେଖି ପାରି ନଥିଲେ। ଯଦି ଅମ୍ପାୟାର ଦେଖି ଥାଆନ୍ତେ, ତା’ହେଲେ ବାଂଲାଦେଶକୁ ପେନାଲ୍ଟି ଆକାରରେ ୫ ରନ ମିଳି ଥାଆନ୍ତା। ଏହି ୫ରନ ହିଁ ଶେଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଆନ୍ତା ବୋଲି ନୁରୁଲ କହିଛନ୍ତି।

ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ପରାଜୟକୁ ସ୍ୱୀକାର କରିଥିବା ବେଳେ ଶେଷ ଯାଏ ଛକା ଓ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିବା ନୁରୁଲ କିନ୍ତୁ ଫିଲ୍ଡ ଅମ୍ପାୟାରଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛନ୍ତି।

ନୁରୁଲ କହିଛନ୍ତି, “ବର୍ଷା ଯୋଗୁ ଓଦାଳିଆ ଆଉଟ ଫିଲ୍ଡ ମ୍ୟାଚ୍‌ ଉପରେ ପ୍ରଭାବ ପକାଇଥିଲା। ଆମେ ୭ ଓଭରରେ ୬୬ ରନ କରିଥିଲୁ। ଏହି ସମୟରେ ବର୍ଷା ହୋଇଥିଲା। ବର୍ଷା ପରେ ମ୍ୟାଚ୍‌ ଆରମ୍ଭ ହେବାରୁ ଏହାର ପ୍ରଭାବ ବେଶ ଅନୁଭୂତ ହୋଇଥିଲା। ଏହା ବାଦ ମ୍ୟାଚ୍‌ ବେଳେ ଫେକ୍‌ ଥ୍ରୋ ଘଟଣା ଘଟିଥିଲା। ଏହା ଦ୍ୱାରା ଆମେ ୫ ରନ ପାଇବାକୁ ହକଦାର ଥିଲୁ। କିନ୍ତୁ ଆମେ ଉକ୍ତ ରନ ମଧ୍ୟ ପାଇଲୁ ନାହିଁ।”

ନୁରୁଲ ପରୋକ୍ଷରେ ଫିଲ୍ଡ ଅମ୍ପାୟାର କ୍ରିସ୍‌ ବ୍ରାଉନ ଓ ମରାଇସ ଏରାସମସଙ୍କୁ ଉକ୍ତ ଘଟଣାକୁ ଅଣଦେଖା କରିଥିବାରୁ ସମାଲୋଚନା କରିଛନ୍ତି। ନୁରୁଲ ବାଂଲାଦେଶ ଇନିଂସର ୭ମ ଓଭରରେ ଘଟିଥିବା ଘଟଣା କଥା କହିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅର୍ଶଦୀପ ସିଂହ ବାଉଣ୍ଡରୀ ପାଖରୁ ବଲ ଫିଙ୍ଗୁଛନ୍ତି।

ହେଲେ ବିରାଟ ଏମିତି ଏକ ଆକ୍ସନ କରିଥିଲେ ଯେ ସେଥିରୁ ଅନୁମାନ ହେଉଥିଲା ଯେ ସେ ବଲ୍‌କୁ ନନ ଷ୍ଟ୍ରାଇକର ଏଣ୍ଡକୁ ଫିଙ୍ଗୁଛନ୍ତି। ବାସ୍ତବରେ ସେହି ସମୟରେ ତାଙ୍କ ହାତରେ ବଲ ନଥିଲା। ଅର୍ଶଦୀପ ହିଁ ୱିକେଟ କିପରଙ୍କୁ ବଲ ଫିଙ୍ଗିଥିଲେ। ବିରାଟଙ୍କ ଏପରି ଆଚରଣକୁ ନୁରୁଲ ଫେକ ଫିଲ୍ଡିଂ ବୋଲି ଦାବି କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ସମୟରେ ବ୍ୟାଟିଂ କରୁଥିବା ଲିଟନ ଦାସ ଓ ନଜମୁଲ ହୁସେନ ସାଣ୍ଟୋ ମଧ୍ୟ ବିରାଟଙ୍କୁ ଚାହିଁ ନଥିଲେ। ତଥାପି ମ୍ୟାଚ୍‌ ପରେ ନୁରୁଲ କାହିଁକି ଏପରି ପ୍ରସଙ୍ଗ ଉଠାଇଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଆଇସିସି ପ୍ଲେଇଂ କଣ୍ଡିସନର ନିୟମ ୪୧.୫ ଅନୁଯାୟୀ, ଫିଲ୍ଡିଂ ଟିମ ଜାଣିଶୁଣି, ଉଦ୍ଦେଶ୍ୟ ମୂଳକ ଭାବେ କିମ୍ବା ଫେକ୍‌ ଆକ୍ସନ ଦ୍ୱାରା ବ୍ୟାଟରଙ୍କୁ ଚକମା ଦେଇ ପାରିବେ ନାହିଁ। ଯଦି ଏହି ନିୟମକୁ କେହି ଉଲ୍ଲଙ୍ଘନ କରୁଥିବା ଅମ୍ପାୟାର ହୃଦୟଙ୍ଗମ କରନ୍ତି, ତା’ହେଲେ ସେ ଏହାକୁ ଡେଡ୍‌ ବଲ ଘୋଷଣା କରିପାରିବେ ଓ ବ୍ୟାଟିଂ ଦଳକୁ ପେନାଲ୍ଟି ଭାବେ ୫ ରନ ଦେଇପାରିବେ।

ନୁରୁଲ ଭାରତର ବିରାଟ କୋହଲିଙ୍କ ବିରୋଧରେ ବ୍ୟାଟରଙ୍କୁ ଫେକ ଆକ୍ସନ ଦ୍ୱାରା ଡିଷ୍ଟ୍ରାକ୍‌ କରିବାକୁ ଚେଷ୍ଟା କରିଥିବା କହୁଛନ୍ତି। ହେଲେ ସାଣ୍ଟୋ କିମ୍ବା ଲିଟନ ଆଦୌ ସେହି ସମୟରେ କୋହଲିଙ୍କୁ ଚାହିଁ ନଥିଲେ। ତେଣୁ ସେମାନେ ଆଦୌ ଧ୍ୟାନଚ୍ୟୁତ ହେବାର ସମ୍ଭାବନା ନାହିଁ। ଏପରି ସ୍ଥିତିରେ ନୁରୁଲ ମ୍ୟାଚ୍‌ ଅଫିସିଆଲଙ୍କୁ ସମାଲୋଚନା କରିଥିବାରୁ ଓଲଟା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *