ପୃଥିବୀର ସବୁଠୁ ବଡ଼ ଫିଲିଙ୍ଗ୍ ଷ୍ଟେସନ

Top Storise ଜୀବନଚର୍ଯ୍ୟା

ଆମେରିକା : ଦେଶରେ ଥିବା ସବୁଠୁ ବଡ଼ ଫିଲିଙ୍ଗ ଷ୍ଟେସନ କଥା ଶୁଣିଲେଣି? ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେରେ ରହିଛି ଏକ ଫିଲିଂ ଷ୍ଟେସନ୍ ଯାହା ହେଉଛି ପୃଥିବୀର ବୃହତ୍ତମ ଫିଲିଙ୍ଗ ଷ୍ଟେସନ। ବକ୍‌-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା ହାସଲ କରିଛି। ଏଠାରେ ଏକା ସଙ୍ଗରେ ୧୨୦ଟି କାର୍‌ରେ ତେଲ ଭର୍ତ୍ତି କରିବାର ବ୍ୟବସ୍ଥା ରହିଛି।
ଦୀର୍ଘ ୭୪,୦୦୦ ବର୍ଗ ଫୁଟ ପରିମିତ ଏହି କେନ୍ଦ୍ରରେ ଗ୍ରାହକଙ୍କ ସେବାରେ ୩୫୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଆଗନ୍ତୁକମାନଙ୍କ ଗାଡ଼ିରେ ତେଲ ଢାଳିବା ସାଙ୍ଗକୁ ଏଠାରେ ବିଶାଳ ସପିଂ ମଲ୍‌, ବାର୍ବିକ୍ୟୁ ରେସ୍ତୋରାଁ, ପ୍ରଶସ୍ତ ଶୌଚାଳୟ ଓ ବିଶ୍ରାମାଳୟ ମଧ୍ୟ ରହିଛି। ତେବେ ଦୁଇଚକିଆ ଓ ଚାରିଚକିଆ ଯାନ ସମେତ ପଦାଚାରୀଙ୍କ ସୁବିଧା ପାଇଁ ଏହି କେନ୍ଦ୍ରକୁ ଅଠରଚକିଆ ଯାନଗୁଡ଼ିକର ପ୍ରବେଶ ନିଷେଧ କରାଯାଇଛି।

ଆମେରିକାର ବିଭିନ୍ନ ସ୍ଥାନରେ ଏପରି ବିରାଟକାୟ ଫିଲିଂ ଷ୍ଟେସନ୍ ଖୋଲିବାରେ ବକ୍‌-ଇ କମ୍ପାନିର ଖ୍ୟାତି ରହିଥିବା ବେଳେ ସେଭିର୍ଭିଲେ ଠାରେ ଖୋଲିଥିବା ଏହି ବୃହତ୍ତମ କେନ୍ଦ୍ର ଏବେ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ଏହି କେନ୍ଦ୍ର ମଧ୍ୟ ଧାରଣ କରିଥିବା ବୃହତ୍ତମ ତୈଳ ଫିଲିଂ ଷ୍ଟେସନର ମାନ୍ୟତା ଆଉ ବେଶୀ ଦିନ ରହିବ ନାହିଁ ବୋଲି ଜଣାଯାଇଛି। କାରଣ ସେହି ବକ୍‌-ଇ କମ୍ପାନି ଦ୍ବାରା ଆମେରିକାର ଟେକ୍ସାସ ଠାରେ ୭୫,୦୦୦ ବର୍ଗ ଫୁଟ ପରିମିତ ଆଉ ଏକ ଫିଲିଂ ଷ୍ଟେସନ୍‌ ନିର୍ମାଣ ଚାଲିଛି।

Leave a Reply

Your email address will not be published. Required fields are marked *