ସୋର(ବାଲେଶ୍ୱର): ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଜଣଙ୍କ ଘରୁ ଅନ୍ୟ ଜଣଙ୍କ ଘରକୁ ବ୍ୟାପିଲା । ନିଆଁ ଗିଳିଦେଲା ଦୁଇଟି ଗାଁରେ ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାଇତା ସମ୍ପତ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗତକାଲି ରାତିରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ହୋଇଛି ।ସୋର ଅନ୍ତର୍ଗତ କ୍ଷୀରକୋଣି ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।
ନିଆଁ ଲାଗି ଗାଁର ବିକର୍ତ୍ତନ ମହାଳିକ ଓ ତାଙ୍କ ଦୁଇ ପୁଅଙ୍କ ପାଞ୍ଚ ବଖରା ଘର ଜଳ ପୋଡ଼ି ଛାରଖାର । ନିଆଁରେ ବିକର୍ତ୍ତନର ପତ୍ନୀ ଓ ନାତି ଆହତ ହୋଇଛନ୍ତି । ସେମାନଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିଲା ।
ସେହିପରି କୁଡେଇ ଗାଁର ବିଜୟ ଦଳେଇଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଜଳିଯାଇଚି ପାଞ୍ଚ ବଖରା ଘର ଓ ଆସବାବପତ୍ର । ସୋର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।