ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗ: କିମ୍ସ ଓ ମଣିପାଲକୁ ସରକାରଙ୍କ ଝଟକା

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲ କିମ୍ସ ଓ ମଣିପାଲ ହସ୍ପିଟାଲ ବିରୋଧରେ କଠୋର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଅଭିଯୋଗର ଯାଞ୍ଚ ପରେ ଉଭୟ ହସ୍ପିଟାଲକୁ ସୋ’କଜ୍ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ବିଭାଗ ପକ୍ଷରୁ ଜାରି ନୋଟିସ୍‌ରେ ଆୟୁଷ୍ମାନ ଯୋଜନାର ନିୟମ ଉଲ୍ଲଂଘନ ଏବଂ ଚିକିତ୍ସା ସମ୍ପର୍କିତ ରେକର୍ଡରେ ଅସଙ୍ଗତି ନେଇ ପ୍ରଶ୍ନ ଉଠାଯାଇଛି। ବିଶେଷକରି କିମ୍ସ ବିରୋଧରେ ଏକାଧିକ ହିତାଧିକାରୀଙ୍କ ଚିକିତ୍ସା ବିଲ୍‌କୁ ନେଇ ଅନିୟମିତତା ଅଭିଯୋଗ ଆସିଥିବା ନୋଟିସ୍‌ରୁ ଜଣାପଡ଼ିଛି।

ରୋଗୀଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ

ଅଭିଯୋଗ ଅନୁସାରେ, ଆୟୁଷ୍ମାନ ଯୋଜନାରେ କ୍ୟାସଲେସ୍ ଚିକିତ୍ସା ପାଇବାକୁ ଯୋଗ୍ୟ କିଛି ହିତାଧିକାରୀଙ୍କଠାରୁ ଟେଷ୍ଟ ଓ ଔଷଧ ବାବଦରେ ଟଙ୍କା ନିଆଯାଇଥିବା ଦର୍ଶାଯାଇଛି। କେତେକ ମାମଲାରେ ୪୦ ହଜାରରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ କରାଯାଇଥିବା ଅଭିଯୋଗ ମଧ୍ୟ ରହିଛି।

ସେହିପରି, ଆଇସିୟୁରେ ୨୮ ଜଣ ରୋଗୀ ଭର୍ତ୍ତି ହୋଇଥିବା ରେକର୍ଡରେ ଦର୍ଶାଯାଇଥିଲେ ମଧ୍ୟ ସମ୍ପୃକ୍ତ ଚିକିତ୍ସା ସୁବିଧା ଓ ରେକର୍ଡ ମଧ୍ୟରେ ଅସଙ୍ଗତି ଥିବା ନୋଟିସ୍‌ରେ ଉଲ୍ଲେଖ ହୋଇଛି। ଆଇସିୟୁ ଆଡମିଶନ ରେକର୍ଡର ବିଭିନ୍ନ ତଥ୍ୟ ମଧ୍ୟରେ ତାଳମେଳ ନଥିବା ନେଇ ମଧ୍ୟ ବିଭାଗ ପ୍ରଶ୍ନ ଉଠାଇଛି।

ମଣିପାଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ

କେବଳ କିମ୍ସ ନୁହେଁ, ମଣିପାଲ ହସ୍ପିଟାଲ ବିରୋଧରେ ମଧ୍ୟ ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଅଭିଯୋଗ ଅନୁଯାୟୀ, ଜଣେ ହିତାଧିକାରୀଙ୍କଠାରୁ ଆୟୁଷ୍ମାନ କାର୍ଡ ଥିବା ସତ୍ତ୍ୱେ ଚିକିତ୍ସା ବାବଦରେ ୪୦ ହଜାର ଟଙ୍କା ନିଆଯାଇଥିଲା। ଏହି ଅଭିଯୋଗକୁ ନେଇ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ’କଜ୍ କରାଯାଇଛି।



ମନ୍ତ୍ରୀଙ୍କ ଚେତାବନୀ

ଆୟୁଷ୍ମାନ ଯୋଜନାରେ ନିୟମ ଉଲ୍ଲଂଘନକୁ ସରକାର ବରଦାସ୍ତ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁକେଶ ମହାଲିଙ୍ଗ। ସମସ୍ତ ଘରୋଇ ହସ୍ପିଟାଲ ଯୋଜନାର ନିୟମକୁ ଠିକ୍ ଭାବେ ପାଳନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଅନିୟମିତତା ପ୍ରମାଣିତ ହେଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ଅପେକ୍ଷାରେ

ଘଟଣା ସମ୍ପର୍କରେ କିମ୍ସ କି ମଣିପାଲ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନାହାନ୍ତି।

ଏବେ ସ୍ୱାସ୍ଥ୍ୟ ବିଭାଗର ନୋଟିସ୍‌ର ଜବାବରେ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ କ’ଣ ସ୍ପଷ୍ଟୀକରଣ ଦେଉଛନ୍ତି ଏବଂ ବିଭାଗ ପରବର୍ତ୍ତୀ କି ପଦକ୍ଷେପ ନେଉଛି, ତା’ ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *