ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷର ନାମଲେଖା ପାଇଁ ଅପରାହ୍ନରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ ।
ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୬ରୁ ୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ୮ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମଲେଖା ପରେ କେଉଁ କଲେଜରେ କେତେ ସିଟ୍ ଖାଲି ପଡ଼ିଲା, ସେ ବାବଦରେ ଅପଡେଟ୍ ସୂଚନା ମିଳିପାରିବ ।
୧୩ ତାରିଖରେ ସ୍ପଟ୍ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ। ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ୧୩ ତାରିଖ ଦିନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ଆବେଦନ କରିପାରିବେ। ୧୫ ତାରିଖରେ ସ୍ପଟ୍ ନାମଲେଖାର ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ। ଯାହାର ନାମଲେଖା ୧୬ ତାରିଖ ଦିନ ୧୦ଟାରୁ ଅପରାହ୍ଣ ୪ଟା ମଧ୍ୟରେ ହେବ।
ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୧ ଲକ୍ଷ ୫୭ ହଜାର ୫୭୯ ସିଟ୍ ଖାଲିପଡ଼ିଛି । କଳାରେ ୪୯ ହଜାର ୮୮୭, ବିଜ୍ଞାନରେ ୭୪ ହଜାର ୪୮୧ ସିଟ୍, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦ ଓ ଧନ୍ଦାମୂଳକରେ ୬ ହଜାର ୧୩୨ଟି ସିଟ୍ ଖାଲି ରହିଛି ବୋଲି ସାମ୍ସ ୱେବସାଇଟ୍ରେ ସୂଚନା ଦିଆଯାଇଛି ।