ବ୍ରହ୍ମପୁର: ମନ୍ଦିର ପରିସରରେ ମର୍ଡର । ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଳା ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ପଡିଛି ବ୍ୟକ୍ତିଙ୍କ ମୃତଦେହ। ମୃତକ ଜଣଙ୍କ କାଳିଆ ସାହୁ ବୋଲି ଜଣାପଡିଛି । ମୃତଦେହ ନିକଟରେ ଦୁଇଟି ଇଟା ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବଡ ବଜାର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ବୁଧବାର ମଧ୍ୟରାତ୍ରିରେ କାଳିଆ ସାହୁ ମନ୍ଦିର କାନ୍ଥ ଡେଇଁ ଭିତରକୁ ଆସିଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ମନ୍ଦିର ଭିତରେ ଥିବା ଜଗୁଆଳି ନାରାୟଣ ସାହୁ ଏହି ଘଟଣା ଜାଣିପାରି ବୁଧବାର ରାତ୍ର ପ୍ରାୟ ୨ଟା ସମୟରେ ରାଧାକୃଷ୍ଣ ମନ୍ଦିରର ଟ୍ରଷ୍ଟି ଓ ପୂଜକ ରାମ ଚନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ । ଟ୍ରଷ୍ଟି ବଡ଼ବଜାର ଥାନାରେ ଏତଲା ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା ଜାରି ରଖିଛନ୍ତି।