ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି ଏବଂ ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି।
ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ । ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ।
ଢେଙ୍କାନାଳରୁ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଏହି ଦୁଇଟି ସେତୁ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।
ତେବେ ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ମଧ୍ୟ ଯୋଗ ଦେଇଥିଲେ।