ଆଜି ବି କାଦୁଅ ମାଟି

Top Storise ରାଜ୍ୟ

ରାଜନଗର/ପାଟଣା: ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ଭଲ ରାସ୍ତା ନା ମିଳୁଛି ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ, ନା ବର୍ଷା ଜଳ ନିଷ୍କାସନ ପାଇଁ ରହିଛି କୌଣସି ଡ୍ରେନ ବ୍ୟବସ୍ଥା । ଏପରି ଏକ ଗ୍ରାମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ।

ସୂଚନା ମୁତାବକ, ଗ୍ରାମରେ 3 ଟି ସାହି ରହିଥିବାବେଳେ କୌଣସି ସାହି ମଧ୍ୟକୁ ଭଲ ରାସ୍ତାଟିଏ ନାହିଁ । ପୁରୁଣା ସାହି ମଧ୍ୟଦେଇ ଯାଇଥିବା ରାସ୍ତା ଅଧା କଂକ୍ରିଟ ହୋଇଥିବାବେଳେ ଆଉ ଅଧା ରାସ୍ତା ମେଣ୍ଟାଲରେ ଭରି ରହିଛି । ସେହିପରି ତିନି ଘରିଆ ସାହିକୁ ଯିବା ପାଇଁ କୌଣସି ସ୍ଥାୟୀ ରାସ୍ତା ନଥିବାରୁ ପଡିଆ ମଝିରେ ଯିବା ଆସିବା କରୁଛନ୍ତି ସାହି ବାସିନ୍ଦା । ଅନ୍ୟପଟେ ନୁଆସାହିର ରାସ୍ତା କଥା ନକହିବା ଭଲ । ସାହି ଆରମ୍ଭରୁ ପଶିବା ମାତ୍ରେ କେହି ମଧ୍ୟ ଭୁଲିଯିବା ଏହା ରାସ୍ତା ନା କେଉଁ ବିଲ ମଧ୍ୟକୁ ପଶି ଆସିଛି । ଅଧା ରାସ୍ତାରେ ପଡିଛି ବାଲି ଓ ପଥର । ଆଉ କେଉଁଠି ରାସ୍ତା ଉପରେ ସୃଷ୍ଟି ହୋଇଛି ଘାସ ଓ ଅନାବନା ଗଛର ଜଙ୍ଗଲ ।

ସେହିପରି ଗାଁରେ ଡ୍ରେନର ବ୍ୟବସ୍ଥା ନଥିବା ଯୋଗୁଁ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି । ଯାହା ଫଳରେ ରାସ୍ତାରେ ଚାଲିବା କାଠିକର ପାଠ ହୋଇପଡୁଛି । ଜିଲ୍ଲାରେ ବହୁ କମ୍ପାନୀ ମାନ ଗଢି ଉଠିଥିଲେ ସୁଦ୍ଧା ଏଯାବତ ଜିଲ୍ଲା ସ୍ଥିତ ବିଭିନ୍ନ ଗାଁରେ ଏପରି ରାସ୍ତା ଅନେକାଂଶରେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏନେଇ ଗ୍ରାମବାସୀ ପକ୍ଷରୁ ୱାଡ଼ମେମ୍ବର, ସରପଞ୍ଚ, ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ଶୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଆଗାମୀ ଦିନରେ ଏହାକୁ ଅଣଦେଖା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *