- ଗ୍ରାମରେ ନାହିଁ ଭଲ ରାସ୍ତା
- ରାସ୍ତା ଉପରେ ପଡ଼ିରହିଛି ବାଲି ଓ ପଥର
- ବର୍ଷା ଟିକେ ହେଲେ ରାସ୍ତା ଉପରେ ଜମି ରହୁଛି ପାଣି
- ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବ
- ପିଇବା ପାଣି ପାଇଁ ଗୋଟିଏ ହିଁ ସ୍କୁଲ ନଳକୂଅ ଭରଷା
ତୁରୁମୁଙ୍ଗା : ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସରକାର ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନିର୍ବାଚନ ସମୟରେ ଏହାକୁ ବ୍ୟବହାର କରି ଭୋଟ ହାତେଇବାରେ ଲାଗିଥିବା ବେଳେ ନିର୍ବାଚନର ପରଦିନ ଏହାକୁ ଭୁଲି ଯାଉଛନ୍ତି । ନା ଦେଖା ଦେଉଛନ୍ତି ନା ଭୋଟ ବେଳେ ପାହାଡ଼ ପରି ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରୁଛନ୍ତି । ଯାହା ଫଳରେ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମବାସୀ । ଗ୍ରାମରେ ନା ଅଛି ଭଲ ରାସ୍ତା ନା ଅଛି ଡ୍ରେନର ବ୍ୟବସ୍ତା । ଭଲ ରାସ୍ଥା ଟିଏ ପାଇଁ ଆଜିବି ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ।
ଗାଁ ଠାରୁ ସହର ପର୍ଯ୍ୟନ୍ତ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ବାସ୍ତବରେ ତାହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ଜିଲ୍ଲାରେ ଗମନା ଗମନ ପାଇଁ ରାସ୍ତା ଘାଟ ସୁଦୃଢ଼ କରିବା ସହ ପାନୀୟଜଳ, ଡ୍ରେନର ବ୍ୟବସ୍ଥା ଓ ରହିବା ପାଇଁ ପକ୍କାଘର ଆଦି ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରି ମଧ୍ୟ ଫେଲ ମାରିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପ୍ରଶାସନ । ନାନାଦି ଅସୁବିଧାରେ ଗରିବ ଲୋକେ କଷ୍ଟରେ ଜୀବନ ବିତାଉଛନ୍ତି । ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗାଁ ନୂଆସାହିର ରାସ୍ତା ଦିର୍ଘ ଦିନ ଧରି ଶୋଚନୀୟ ହୋଇପଡ଼ିଛି । ସାହିର ଅଧାରାସ୍ତା କଂକ୍ରିଟ ଥିବା ବେଳେ ଅନ୍ୟ ଭାଗରେ ରାସ୍ତା ସଙ୍କୁଚିତ ହେବା ସହ ବାଲି ଭରି ରହିଛି । ଏପରିକି ଡ୍ରେନର ବ୍ୟବସ୍ଥା ନଥିବାରୁ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି । ବର୍ଷା ଛାଡ଼ିଯିବାର ଦିର୍ଘଦିନ ପରେ ମଧ୍ୟ ରାସ୍ତାରେ ଚାଲିବା କଷ୍ଟସାଧ୍ୟ ହୋଇପଡ଼ୁଛି । ଯେଉଁ ଖଣ୍ଡିକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା ତାହା ମଧ୍ୟ ଭାଙ୍ଗିବାକୁ ଲାଗିଲାଣି । ଯାହାଫଳରେ ଯାନବାହାନ ତ ଦୁରର କଥା ସାଇକେଲ ଟିଏ ନେଇ ଯିବାରେ ଲୋକେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ସେହିପରି ଗାଁରେ ଉତ୍କଟ ପିଇବା ପାଣି ସମସ୍ୟା । ଆବଶ୍ୟକ ପରିମାଣର ନଳକୂଅ ରହିଥିଲେ ମଧ୍ୟ ପିଇବା ପାଣି ପାଇଁ ସାରା ଗାଁ ସ୍କୁଲ ନଳକୂଅ ଉପରେ ଆସ୍ଥା ପ୍ରକୋଟ କରିଥାନ୍ତି । ଗାଁରେ ଅବସ୍ଥାପିତ ହୋଇଥିବା ନଳକୂଅ ମଧ୍ୟରୁ କେଉଁଠାରୁ ଲୁହାପଥର ଗୁଣ୍ଡ ବାହାରୁଥିବାବେଳେ କେଉଁ ନଳକୂଅ ପାଣିରୁ ଦୁର୍ଗନ୍ଧ ବାହାରୁଛି ।ଏନେଇ ଗ୍ରାମବାସୀ ପକ୍ଷରୁ ୱାଡ଼ମେମ୍ବର, ସରପଞ୍ଚ, ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ଶୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଆଗାମୀ ଦିନରେ ଏହାକୁ ଅଣଦେଖା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।