ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

Top Storise ରାଜ୍ୟ

ଭୁବନେଶ୍ୱର: ମେଧାକୁ ସମ୍ମାନ, ପ୍ରତିଭାକୁ ପ୍ରୋତ୍ସାହନ ଏବଂ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୬’ ପ୍ରଦାନ କରାଯାଇଛି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଥିବା ଦୁଇ ମେଧାବୀ ଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କେ.ସି. ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ନାୟକ ଏବଂ ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପାର୍ଥସାରଥି ମହନ୍ତ ଯୁଗ୍ମ ଭାବେ ମାଟ୍ରିକ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଉଭୟ କୃତୀ ଛାତ୍ରଙ୍କୁ ସମ୍ମାନିତ କରାଯିବା ସହ ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ନୈତିକ ପ୍ରୋତ୍ସାହନ ଯୋଗାଇବା ଏହି ମେଧାବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ତଥା ବର୍ତ୍ତମାନ ସିଙ୍ଗାପୁରରେ ରହୁଥିବା ସତ୍ୟ ସୁତାର ଏହି ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି। ନିଜ ଜନ୍ମମାଟି ଓ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ସହ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଲକ୍ଷ୍ୟରେ ସେ ଏହି ପ୍ରୟାସ ଜାରି ରଖିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହଦେବ ସାହୁ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା କେବଳ ବ୍ୟକ୍ତିର ଜୀବନକୁ ସଫଳ କରେ ନାହିଁ, ବରଂ ସମଗ୍ର ସମାଜର ଚିନ୍ତାଧାରା ଓ ଭବିଷ୍ୟତକୁ ପ୍ରଭାବିତ କରେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେଇ ସତ୍ୟ ସୁତାର ଶିକ୍ଷା କ୍ଷେତ୍ରରେ ଯେଉଁ ମହତ୍ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସନୀୟ ବୋଲି ସେ କହିଥିଲେ।

ସମ୍ମାନୀୟ ଅତିଥି ଭାବେ ସମାଜସେବୀ ନମ୍ରତା ଚଢା, ଲେଖିକା ଓ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଏବଂ ଆର୍ଯ୍ୟ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କମ୍ପ୍ୟୁଟର ସାଇନ୍ସର ପ୍ରିନ୍ସିପାଲ୍ ଡ. ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ ‘ଶିକ୍ଷା ହିଁ ସମାଧାନ’ ବିଷୟରେ ଆଲୋଚନା କରିଥିଲେ।

ଅତିଥିମାନେ କହିଥିଲେ, ଆଜିର ମେଧାବୀ ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଦାୟିତ୍ୱବାନ ନାଗରିକ। ସେମାନଙ୍କ ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ଆବଶ୍ୟକ ସୁଯୋଗ, ପରିବେଶ ଓ ପ୍ରୋତ୍ସାହନ ଯୋଗାଇବା ସମାଜର ଦାୟିତ୍ୱ। ଆଜିର Gen-Z ପିଢ଼ି କେବଳ ଟେକ୍ନୋଲୋଜି ସହ ତାଳ ମିଳାଇ ଚାଲୁନାହାନ୍ତି, ବରଂ ନୂଆ ଚିନ୍ତାଧାରା ଓ ସ୍ୱପ୍ନକୁ ବାସ୍ତବ ରୂପ ଦେବାର କ୍ଷମତା ମଧ୍ୟ ରଖିଛନ୍ତି।

ସତ୍ୟ ସୁତାରଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଅନେକ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମକୁ ଡ. ତ୍ରିଲୋଚନ ନାୟକ ପରିଚାଳନା କରିଥିଲେ। ଶେଷରେ ସେ ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ, ଅଭିଭାବକ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗତ ୬ ବର୍ଷ ଧରି ରାଜ୍ୟର ମାଟ୍ରିକ ଟପ୍ପରମାନଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *