ନୂଆଦିଲ୍ଲୀ: ମାର୍ଚ୍ଚ ୨୩-୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଭାରତ ଏବଂ ପାକିସ୍ତାନର ଅଧିକାରୀମାନେ ସିନ୍ଧୁ ଜଳ ବଣ୍ଟନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ପରସ୍ପରର ସମସ୍ୟାକୁ ସମାଧାନ କରିବା ନେଇ ସୂଚନା ମିଳିଛି।
ଲାଦାଖରେ ଭାରତ ଅନେକ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ସ୍ପଷ୍ଟ କରିଥିବାବେଳେ ପାକିସ୍ତାନ ଏହା ବିରୋଧରେ ଆପତ୍ତି ଉଠାଇଛି। ପାକିସ୍ତାନୀ ଅଧିକାରୀଙ୍କ ଏକ ପ୍ରତିନିଧୀ ଶନିବାର ଦିନ ପ୍ରାୟ ୧୦ଟା ସମୟରେ ଭାରତରେ ପହଞ୍ଚିବେ।
ପାକିସ୍ତାନ କହିଛି ଯେ ଏହାର ଜଳ ବିଶେଷଜ୍ଞଙ୍କ ପ୍ରତିନିଧୀ ଏହି ବୈଠକରେ ଯୋଗଦେବେ ଏବଂ ଜଳ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ସ୍ଥାୟୀ ସିନ୍ଧୁ ଆୟୋଗର ୧୧୬ ତମ ବୈଠକ ମାର୍ଚ୍ଚ ୨୩ ଏବଂ ୨୪ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି।
ପାକିସ୍ତାନର ଇଣ୍ଡସ ୱାଟର କମିଶନର ସୟଦ ମହମ୍ମଦ ମେହେର ଅଲି ଶାହା ଏହି ପ୍ରତିନିଧୀ ଦଳର ନେତୃତ୍ୱ ନେବେ ବେଳେ ଭାରତୀୟ ପ୍ରତିନିଧୀଙ୍କୁ ଭାରତର ଇଣ୍ଡସ କମିଶନର ପି.କେ ସକ୍ସେନାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ଏବଂ ଜାତୀୟ ଜଳ ବିଦ୍ୟୁତ୍ ନିଗମର ପରାମର୍ଶଦାତାମାନେ ଯୋଗଦେବେ।