ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୧.୫୦ ଲକ୍ଷ ଟଙ୍କା ଠକେଇ, ଫେରାର ଅଭିଯୁକ୍ତ ଗିରଫ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତ ଶଶାଙ୍କ କିରଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି।

ଅଭିଯୋଗକାରୀ ରବୀନ୍ଦ୍ର କୁମାର ସାହୁ (୮୪)ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୨୨ ଡିସେମ୍ବର ୨୦୨୧ରୁ ୨୫ ମାର୍ଚ୍ଚ ୨୦୨୨ ମଧ୍ୟରେ ଶୁଭମ ଏଜୁକେସନାଲ ଚ୍ୟାରିଟେବଲ ଟ୍ରଷ୍ଟ, ଅଶୋକ ନଗରର ଚେୟାରମ୍ୟାନ ଭାବେ କାର୍ଯ୍ୟରତ ଥିବା ଶଶାଙ୍କ କିରଣ ମିଶ୍ର ଅଭିଯୋଗକାରୀଙ୍କ ପୁଅଙ୍କୁ ଏକ ଘରୋଇ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ରେ ନାମଲେଖା କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ରବୀନ୍ଦ୍ର ସାହୁ ନିଜ ଏସ୍‌ବିଆଇ ଆକାଉଣ୍ଟରୁ ଏନ୍‌ଇଏଫ୍‌ଟି ମାଧ୍ୟମରେ ମୋଟ ୧୨ ଲକ୍ଷ ୫୦ ହଜାର ଟଙ୍କା ଅଭିଯୁକ୍ତଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରତିଶ୍ରୁତି ଅନୁଯାୟୀ ନାମଲେଖା କରାଇବାରେ ବିଫଳ ହୋଇଥିଲେ। ପରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କେବଳ ୧ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ ଏବଂ ଅବଶିଷ୍ଟ ୧୧ ଲକ୍ଷ ୫୦ ହଜାର ଟଙ୍କା ଫେରାଇବା ପରିବର୍ତ୍ତେ ବିଭିନ୍ନ ବାହାନା କରି ଏଡ଼ାଇ ଚାଲିଥିଲେ।

ତଦନ୍ତ ସମୟରେ ପୋଲିସ ଟଙ୍କା ଗ୍ରହଣ ରସିଦ, ୟେସ୍‌ ବ୍ୟାଙ୍କର ୩ଟି ଚେକ୍‌ ଏବଂ ୩ଟି ଚେକ୍‌ ରିଟର୍ଣ୍ଣ ମେମୋ ଜବତ କରିଥିଲା। ତଦନ୍ତରେ ଅଭିଯୁକ୍ତଙ୍କ ଠକେଇ ଉଦ୍ଦେଶ୍ୟ ଏବଂ ପ୍ରତାରଣା ସ୍ପଷ୍ଟ ହୋଇଥିଲା।

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକାଧିକ ଚଢ଼ାଉ କରାଯାଇଥିଲେ ମଧ୍ୟ ସେ ଦୀର୍ଘ ସମୟ ଧରି ଫେରାର ଥିଲେ। ଶେଷରେ ୧୦ ଜୁନ୍‌ ୨୦୨୬ ତାରିଖରେ ବାଲୁଗାଁ ଥାନା ଅଞ୍ଚଳସ୍ଥିତ ତାଙ୍କ ଗ୍ରାମରୁ ପୋଲିସ ତାଙ୍କୁ କାବୁ କରିଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ଘଟଣାରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିବା ଜଣାପଡ଼ିଛି। ଅପରାଧ ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *