ରାୟଗଡ଼ା-କୋରାପୁଟ ରାସ୍ତାରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାଜ୍ୟ

ରାୟଗଡ଼ା: ଜଳିଗଲା ଯାତ୍ରୀବାହୀ ବସ୍ । ରାୟଗଡ଼ା-କୋରାପୁଟ ରାସ୍ତାର ସିରିକୋଣା ତାରିଣୀ ମନ୍ଦିର ପାଖରେ ଏହି ଅଘଟଣ ଘଟିଛି । ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ଗତକାଲି ରାତି ପାଖାପାଖି ଗୋଟାଏ ବେଳେ ନବରଙ୍ଗପୁର ଜିଲ୍ଲା ଗୋଷାଗୋମୁଡ଼ାରୁ ଗଞ୍ଜାମର ପୋଲସରା ଅଭିମୁଖେ ଯାଉଥିଲା ବର୍ଷା ନାମକ ବସ୍ ।

ଏତିକିବେଳେ ହଠାତ୍ ସିରିକୋଣା ନିକଟରେ ବସରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ରାୟଗଡ଼ାରୁ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଯାତ୍ରୀଙ୍କ କହିବା କଥା, ଲକ୍ଷ୍ମୀପୁର ନିକଟରେ ପ୍ରଥମେ ବସରୁ ପୋଡ଼ା ଗନ୍ଧ ବାହାରିଥିଲା । ତେବେ ବସ୍ ଚାଳକ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ପଛ ଟାୟାର ଫାଟି ପରେ ବସଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ଏପରିକି ବସରେ ନଥିଲା ଅଗ୍ନି ନିର୍ବାପନ ବ୍ୟବସ୍ଥା ।ବସରେ ନିଆଁ ଲାଗିବା ପରେ ଡ୍ରାଇଭର ଓ କଣ୍ଟକ୍ଟର ସେଠାରୁ ଫେରାର ହୋଇ ଯାଇଥିଲେ । ଲୋକଙ୍କ ବହୁ ଜିନିଷ ପତ୍ର ବି ଜଳି ଯାଇଛି । ଏପରିକି ବସରେ ଆସୁଥିବା କିଛି ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ପୋଡ଼ି ଛାରଖାର ହୋଇଛି ।

Leave a Reply

Your email address will not be published. Required fields are marked *