ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

Top Storise ଦେଶ- ବିଦେଶ

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ ମଧ୍ୟ ଆଜିବି ଦେଶବାସୀଙ୍କ ମନରେ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟ ତାଜା ହୋଇ ରହିଛି।

ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ ଗାଡି । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନଭିନ୍ ହୋଇସାରିଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।

ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ୪୦ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।ତେବେ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସହିଦ ଯବାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା।

ଅଧିକାରୀଙ୍କ ସୂଚନା ମୁତାବକ, ବିସ୍ଫୋରଣ ପରେ ମୃତଦେହଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଥିଲା କି ସେମାନଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା । ସେମାନଙ୍କ ପକେଟରୁ ମିଳିଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା ।

କିଛି ସହିଦଙ୍କର ସାଥୀ ସହକର୍ମୀଙ୍କ ହାତ ଘଣ୍ଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ ।ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୂରା ଦେଶ ।

ଇତି ମଧ୍ୟରେ ଏହି ଛାତିଥରା ଘଟଣାକୁ ୨ ବର୍ଷ ବିତିଯାଇଛି, ହେଲେ ଆକ୍ରମଣ ଯେଉଁ କ୍ଷତ ସୃଷ୍ଟି କରିଛି ତାହା ଭରି ନାହିଁ। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ଜନ୍ମମାଟି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି

Leave a Reply

Your email address will not be published. Required fields are marked *