ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି କଂଗ୍ରେସରେ ବିଦ୍ରୋହର ଫାଇଦା ଉଠାଇବ କି ବିଜେପି ? ରାଜସ୍ଥାନ ସରକାରର ମଙ୍ଗ ଧରିବାକୁ ଆବଶ୍ୟକ ପଦକ୍ଷେପ ନେବ କି ବିଜେପି?
ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ବିଜେପି ସମସ୍ତ ରାଜନୈତିକ ନାଟକକୁ ଅନୁଶୀଳନ କରୁଛି। ଆଉ ନିରବ ରହିଛି। କାରଣ ଏହା ପୂର୍ବରୁ ମଧ୍ୟ ଯେତେବେଳେ ସଚିନ ପାଇଲଟ ବିଦ୍ରୋହ କରିଥିଲେ ସେତେବେଳେ ତାଙ୍କ ସହ ୫୦ରୁ ଅଧିକ ବିଧାୟକ ରହିଛନ୍ତି ବୋଲି ଦାବି ହେଉଥିଲା। ଆଉ ସରକାର ଗଢିବା ପାଇଁ ବିଜେପି ସକ୍ରିୟ ହୋଇଥିଲା । କିନ୍ତୁ ହାତ ଗଣତି ବିଧାୟକଙ୍କ ସମର୍ଥନ ପାଇଲଟଙ୍କ ପାଖରେ ଦେଖିବାକୁ ମିଲିଥିଲା। ଅର୍ଥାତ୍ ପ୍ରୟାସ କରି ଭାଣ୍ଡିଆ ହୋଇଥିଲା ବିଜେପି।
ଏବେ କିନ୍ତୁ ବିରୋଧୀ ବିଜେପି ସମ୍ପୂର୍ଣ୍ଣ ନୀରବ ରହିଛି। ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି, ସଚିନ ପାଇଲଟଙ୍କ ପାଇଁ ବିଜେପିର ଦ୍ୱାର ବନ୍ଦ ନାହିଁ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ଶୀର୍ଷ ନେତା ନିଷ୍ପତ୍ତି ଗ୍ରହଣ କରିବେ।
ଆସନ୍ତା ବର୍ଷ ରାଜସ୍ଥାନରେ ନିର୍ବାଚନ ରହିଛି। ଏବଂ ଏପରି ସ୍ଥିତିରେ ଏବେର ସରକାରର କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ବାକି ରହିଛି। ତେଣୁ ବିଜେପି ଗୋଟିଏ ବର୍ଷ ପାଇଁ ସରକାର ଗଠନ କରିବାକୁ ଚାହୁନାହିଁ। ଅନ୍ୟପକ୍ଷରେ, ନିର୍ବାଚନ ପୂର୍ବରୁ ଦଳ କୌଣସି ପ୍ରକାର ଯୋଡତୋଡ ରାଜନୀତିରେ ସକ୍ରିୟ ହେବାକୁ ଇଚ୍ଛା ରଖିନଥିବା ସୂଚନା ରହିଛି।
ଗେହଲୋଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ସଚିନ ପାଇଲଟ ତାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ୮୦ ରୁ ଅଧିକ କଂଗ୍ରେସ ବିଧାୟକ ବାଚସ୍ପତି ସି.ପି ଜୋଶୀଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ବିଜେପି ଏବେ କେବଳ ସ୍ଥିତି ଉପରେ ନଜର ରଖିଥିବା କୁହାଯାଉଛି।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସମସ୍ତ ଗତିବିଧି ଉପରେ ନୀରବ ରହିଛନ୍ତି। ଗତଥର ଯେତେବେଳେ ସଚିନ ପାଇଲଟ ବିଜେପିରେ ଯୋଗଦେବା ଖବର ଆସିଥିଲା ସେତେବେଳେ କୁହାଯାଏ ଯେ ବସୁନ୍ଧରା ରାଜେ ପାଇଲଟଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ।

