ବିଜେପିରେ ମିଶିବେ ବଦ୍ରି, ଡରିଲେଣି କେନ୍ଦୁଝର ନେତା

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦଳବଦଳ ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ରାଜନୈତିକ ସମୀକରଣକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଏହା ସହ ବିଭିନ୍ନ ନେତାଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।

ଏହି ପ୍ରସଙ୍ଗରେ କେନ୍ଦୁଝର ଜିଲ୍ଲାର ରାଜନୀତି ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଏଠାରେ ରାଜନୈତିକ ସମୀକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଦୀର୍ଘଦିନ ଧରି ଜିଲ୍ଲାରେ ଦଳୀୟ ନେତୃତ୍ୱକୁ ନେଇ ମତଭେଦ ଓ ଅନ୍ତର୍ଦ୍ୱନ୍ଦ୍ୱ ଥିବା ଚର୍ଚ୍ଚା ହେଉଛି।

ଏହାରି ମଧ୍ୟରେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ମହଲରେ ଏଭଳି ଆଲୋଚନା ହେଉଛି ଯେ, ସେ ବିଜେଡିରେ ପୂର୍ବଭଳି ଗୁରୁତ୍ୱ ପାଉନାହାନ୍ତି ଏବଂ ସେଥିପାଇଁ ବିଜେପିରେ ଯୋଗଦେବାକୁ ବିଚାର କରୁଥାଇପାରନ୍ତି। କେତେକ ସୂତ୍ର ଅନୁସାରେ, ତାଙ୍କ ପୁଅ ମଧ୍ୟ ତାଙ୍କ ସହ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ପରେ କିଛି କୁଜି ନେତାଙ୍କ ପିଳେହି ପାଣି ହେଲାଣି।

ତେବେ ଏହି ସବୁ ଚର୍ଚ୍ଚାକୁ ନେଇ ବଦ୍ରି ପାତ୍ର କିମ୍ବା ବିଜେଡି ଓ ବିଜେପି ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ। ଯଦି ଭବିଷ୍ୟତରେ ବଦ୍ରି ପାତ୍ର ବିଜେପିରେ ଯୋଗଦିଅନ୍ତି, ତେବେ କେନ୍ଦୁଝର ଜିଲ୍ଲାର ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଆସିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି। ତେବେ ବାସ୍ତବରେ କଣ ଘଟୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *