ରାଜଧାନୀରେ ଚାଞ୍ଚଲ୍ୟ: ୧୦ ମହଲାରୁ ଖସି ଏକାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳସ୍ଥିତ ଜଳବାୟୁ ଟାୱାରରେ ଘଟିଥିବା ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ରାଫାନ ଖୁର୍ସିଦ ବୋଲି ହୋଇଛି। ସେ ଓଡିଏମ୍ ପବ୍ଲିକ୍ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ଥିଲେ।

ପୋଲିସ ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାଫାନ ଆପାର୍ଟମେଣ୍ଟର ୧୦ମ ମହଲାର ୱାଶରୁମ୍ ପାଖରେ ଥିବା ପ୍ଲମ୍ବିଂ ଡକ୍ଟ ଅଞ୍ଚଳରୁ ତଳକୁ ଖସି ପଡ଼ିଥିଲେ। ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ପରେ ହତ୍ୟା କିମ୍ବା ଠେଲି ଦେଇ ଫିଙ୍ଗି ଦିଆଯାଇଥିବା ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ତେବେ ପୋଲିସ କହିଛି ଯେ, ପ୍ରାଥମିକ ତଦନ୍ତରେ ଏହା ହତ୍ୟା କିମ୍ବା ହୋମିସାଇଡ୍ ବୋଲି କୌଣସି ସୁରାକ ମିଳିନାହିଁ। ତଥାପି ମୃତ୍ୟୁର ସମସ୍ତ ପରିସ୍ଥିତିକୁ ନେଇ ତଦନ୍ତ ଜାରି ରହିଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ, ଫରେନସିକ୍ ତଥ୍ୟ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ପୋଲିସ ପକ୍ଷରୁ ଲୋକଙ୍କୁ ଅପପ୍ରଚାର କିମ୍ବା ଅପ୍ରମାଣିତ ତଥ୍ୟ ପ୍ରସାର ନ କରିବାକୁ ଅନୁରୋଧ କରାଯାଇଛି। ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *