ନୟାପଲ୍ଲୀ ପୁଲିସର ବଡ଼ ସଫଳତା: ଆମ ବସ୍‌ରେ ପକେଟ୍‌ମାର କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୭ ଗିରଫ, ୫୦ ଦାମୀ ମୋବାଇଲ୍ ଜବତ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀରେ ଆମ ବସ୍‌ରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି ନୟାପଲ୍ଲୀ ଥାନା ପୁଲିସ। ଏହି ଅଭିଯାନରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୫୦ଟି ଦାମୀ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଗତ କିଛି ମାସ ଧରି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳର ଏକ ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗ ଭୁବନେଶ୍ୱରରେ ସକ୍ରିୟ ରହି ଆମ ବସ୍‌ରେ ଯାତ୍ରୀଙ୍କ ମୋବାଇଲ୍, ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ନେଇ ସୂଚନା ମିଳିଥିଲା। ଏହାପରେ ନୟାପଲ୍ଲୀ ଥାନା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ନଜରଦାରି ଆରମ୍ଭ କରିଥିଲା।

ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ବିଶ୍ୱସ୍ତ ସୂଚନା ଆଧାରରେ ପୁଲିସ ଜୟଦେବ ବିହାର ବସ୍‌ ଷ୍ଟପ୍‌ରେ ପହଞ୍ଚି ସନ୍ଦେହଜନକ ଭାବେ ବୁଲୁଥିବା ୭ ଜଣଙ୍କୁ ଅଟକ ରଖିଥିଲା। ସେମାନଙ୍କ ନିକଟରେ ଥିବା ତିନୋଟି ଭ୍ୟାନିଟି ବ୍ୟାଗ ଓ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ ତଲାସି କରାଯିବା ପରେ ୫୦ଟି ଚୋରା ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଏବଂ ୧,୨୦୦ ଟଙ୍କା ନଗଦ ଜବତ ହୋଇଥିଲା।

ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ, ସେମାନେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଏବଂ ଆମ ବସ୍‌ରେ ଯାତ୍ରୀଙ୍କ ପକେଟ୍‌ମାର ଓ ଛିନତାଇ କରି ଏହି ମୋବାଇଲ୍‌ଗୁଡ଼ିକ ସଂଗ୍ରହ କରିଥିଲେ।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟର ସଦସ୍ୟ ରହିଛନ୍ତି। ମହିଳା ଓ ଶିଶୁ ସଦସ୍ୟମାନେ ବସ୍, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଚୋରି କରୁଥିବାବେଳେ ପୁରୁଷ ସଦସ୍ୟମାନେ ଚୋରି ସାମଗ୍ରୀ ସଂଗ୍ରହ କରି ଅନ୍ୟ ରାଜ୍ୟ ଏବଂ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳରେ ବିକ୍ରି କରୁଥିଲେ।

ପୁଲିସ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *