ଓଡ଼ିଆ ସିନେମାକୁ ନେଇ ସାମ୍ବାଦିକଙ୍କ ଲେଖାରେ ଅସନ୍ତୋଷ: ପ୍ରଯୋଜକ ଅକ୍ଷୟ ପରିଜାଙ୍କ କଡ଼ା ପ୍ରତିକ୍ରିୟା

Top Storise ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱର: ଓଡ଼ିଆ ସିନେମାର ବିକାଶ ଓ ସରକାରୀ ଭୂମିକାକୁ ନେଇ ପ୍ରକାଶିତ ଏକ ସମ୍ବାଦ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସାମ୍ବାଦିକ ମନୋରଞ୍ଜନ ମହାନ୍ତି ନିଜ ଫେସବୁକ ପୋଷ୍ଟରେ ପ୍ରକାଶିତ ଖବର ସେୟାର କରିଥିବା ବେଳେ, ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜା ଏହା ଉପରେ କଡ଼ା ମତ ରଖିଛନ୍ତି।

ଅକ୍ଷୟ ପରିଜା ତାଙ୍କ ମନ୍ତବ୍ୟରେ ଲେଖିଛନ୍ତି ଯେ, ସମ୍ପୂର୍ଣ୍ଣ ଖବର ପଢ଼ିବା ପରେ ତାଙ୍କୁ ଲାଗିଛି ସାମ୍ବାଦିକଙ୍କ ରିପୋର୍ଟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଛବି ଗଢ଼ିବା ଦିଗରେ ଅଧିକ ଝୁକିଥିବା ଭଳି ଦେଖାଯାଉଛି। ସେ କହିଛନ୍ତି, ପୂର୍ବରୁ ଥିବା ନିର୍ଭୀକ ସାମ୍ବାଦିକତା ଏହି ରିପୋର୍ଟରେ ପ୍ରତିଫଳିତ ହୋଇନାହିଁ।

ସେ ଆହୁରି ଦାବି କରିଛନ୍ତି ଯେ, ଅଭିନେତା କିମ୍ବା ଅଭିନେତ୍ରୀ ନୁହେଁ, ବରଂ ପ୍ରଯୋଜକମାନେ ଚଳଚ୍ଚିତ୍ର ଶିଳ୍ପକୁ ଗଢ଼ି ତୋଳନ୍ତି, କାରଣ ସେମାନେ ନିବେଶ କରନ୍ତି। ତେଣୁ ଖବରର ଶୀର୍ଷକ ତାଙ୍କ ମତରେ ସଠିକ୍ ନୁହେଁ।

ଅକ୍ଷୟ ପରିଜା କହିଛନ୍ତି ଯେ, ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ୪୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ଏଥିସହ ସେ ଦାବି କରିଛନ୍ତି ଯେ, ଓଡ଼ିଶାରୁ ଅସ୍କାର ଦୌଡ଼ରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ଅଭିନନ୍ଦନ ବାର୍ତ୍ତା ଆସିନଥିଲା।

ତାଙ୍କ ମତାନୁସାରେ, ସରକାର ସହଯୋଗ କରିଥାନ୍ତେ ସେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିପାରିଥାନ୍ତେ। କିନ୍ତୁ ଏଭଳି ପ୍ରସ୍ତାବ ନେଇ ଆଗେଇବାର ସୁଯୋଗ ତାଙ୍କୁ ମିଳିନଥିବା ଅଭିଯୋଗ କରିଛନ୍ତି।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗରେ ମଧ୍ୟ ସେ ପ୍ରଶ୍ନ ଉଠାଇ କହିଛନ୍ତି, ୨୮ଟି ଆବେଦନ ମଧ୍ୟରୁ ୧୮ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବା ପ୍ରକ୍ରିୟା ନେଇ ସନ୍ଦେହ ସୃଷ୍ଟି ହେଉଛି।

ଅନ୍ୟପଟେ, ସାମ୍ବାଦିକ ମନୋରଞ୍ଜନ ମହାନ୍ତି ତାଙ୍କ ଫେସବୁକ ପୋଷ୍ଟରେ ଓଡ଼ିଆ ସିନେମାର ବର୍ତ୍ତମାନ ସ୍ଥିତି ଓ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚାଲିଥିବା ଆଲୋଚନାର ଉଲ୍ଲେଖ କରିଥିଲେ।

ଏହି ପ୍ରସଙ୍ଗରେ ଉଭୟ ପକ୍ଷର ମତ ସାମ୍ନାକୁ ଆସିଥିବା ବେଳେ, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ, ସରକାରୀ ସହଯୋଗ ଏବଂ ପୁରସ୍କାର ପ୍ରଦାନ ପ୍ରକ୍ରିୟାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

ଅକ୍ଷୟ ପରିଜାଙ୍କ ଏପରି ପ୍ରତିକ୍ରୀୟା ପରି ତାଙ୍କୁ ଧନ୍ଯବାଦ ଦେଇଛନ୍ତି ସାମ୍ୱାଦିକ ମନୋରଞ୍ଜନ ମହାନ୍ତି।

(ବିଦ୍ର : ସାମାଜିକ ଗଣମାଧ୍ୟମ ତଥ୍ଯ ଅନୂଯାୟୀ ଖବର ଲେଖା ଯାଇଛି)

Leave a Reply

Your email address will not be published. Required fields are marked *