ଇନଷ୍ଟାଗ୍ରାମରେ ରଥ କର୍ଡନ ପାସ୍ ବିକ୍ରି ଅଭିଯୋଗ: ପ୍ରଶାସନର କଟକଣା ଉପରେ ଉଠିଲା ପ୍ରଶ୍ନ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏବେ କର୍ଡନ ପାସ୍‌କୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟ ସରକାର କର୍ଡନ ପାସ୍ ବଣ୍ଟନରେ କଡ଼ା କଟକଣା ଲାଗୁ କରିଥିଲେ। ନକଲି ପାସ୍ ଓ ଅନଧିକୃତ ପ୍ରବେଶ ରୋକିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ନଜର ରଖାଯାଇଥିବା ଦାବି କରାଯାଇଥିଲା।

ତେବେ ରଥଯାତ୍ରା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ସ୍କ୍ରିନସଟ୍ ନୂଆ ପ୍ରଶ୍ନ ଉଠାଇଛି। ଏକ ଇନଷ୍ଟାଗ୍ରାମ ଆଇଡିରେ “Only few passes left, If anyone want this DM ASAP” ବୋଲି ପୋଷ୍ଟ କରାଯାଇଥିବା ସହ କର୍ଡନ ପାସ୍‌ର ଫଟୋ ମଧ୍ୟ ସେୟାର ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟରେ ଦେଖାଯାଇଥିବା ପାସ୍‌ରେ ୧୫୦ ଟଙ୍କା ମୂଲ୍ୟ ଉଲ୍ଲେଖ ରହିଛି, ଯାହା ପହଣ୍ଡି ସମୟର କର୍ଡନ ପାସ୍ ବୋଲି ଦାବି କରାଯାଉଛି।

ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠୁଛି। ସୋସିଆଲ ମିଡିଆରେ କର୍ଡନ ପାସ୍ ବିକ୍ରି କରୁଥିବା ଏହି ଆଇଡି କାହାର? ପାସ୍‌ଗୁଡ଼ିକ କେଉଁଠୁ ଆସିଲା? ଏହା ପ୍ରକୃତ ସରକାରୀ ପାସ୍ ଥିଲା ନା ନକଲି? ଯଦି ପ୍ରକୃତ ପାସ୍ ଥିଲା, ତେବେ ସେଗୁଡ଼ିକ କିପରି ବିକ୍ରି ପାଇଁ ସୋସିଆଲ ମିଡିଆରେ ପହଞ୍ଚିଲା?

ଏହି ଘଟଣା ପରେ ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଭାଇରାଲ ହୋଇଥିବା ଇନଷ୍ଟାଗ୍ରାମ ଆଇଡିର ସତ୍ୟତା ଯାଞ୍ଚ କରାଯିବ କି? ପାସ୍ ବିକ୍ରି ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆଯିବ କି? ନା ଏହି ଘଟଣା ମଧ୍ୟ ଅନ୍ୟାନ୍ୟ ବିବାଦ ପରି ଚାପି ଯିବ?

ତେବେ ଏହି ଭାଇରାଲ ପୋଷ୍ଟର ସତ୍ୟତା କେତେ, ପାସ୍ ବିକ୍ରି ପଛରେ କିଏ ରହିଛି ଏବଂ ପୁରୀ ପ୍ରଶାସନ କେବେ ଏହି ଘଟଣାରେ ତଦନ୍ତ କରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *