ନବୀନଙ୍କ ମନ୍ତବ୍ୟକୁ ବିଜେପି ସାଂସଦଙ୍କ କଡ଼ା ପ୍ରତିବାଦ, ‘ଓଡ଼ିଆଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ’

Top Storise ଦେଶ- ବିଦେଶ ରାଜନୀତି ରାଜ୍ୟ

ନୂଆଦିଲ୍ଲୀ: ବିଜେଡି ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମ୍ପ୍ରତିକ ମନ୍ତବ୍ୟକୁ ନେଇ ବିଜେପିର ଓଡ଼ିଶା ସାଂସଦମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ବିବୃତି ସମ୍ପୂର୍ଣ୍ଣ ତଥ୍ୟହୀନ, ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ।

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଦୁର୍ବଳ କିମ୍ବା ଅଜ୍ଞ ଭାବିବା ଉଚିତ୍ ନୁହେଁ। ୨୦୧୫ରୁ ୨୦୨୩ ମଧ୍ୟରେ ବିଜେଡି ସରକାର ସମୟରେ ପୁଲିସ କନଷ୍ଟେବଳ, OPSC, OJSE, ମାଟ୍ରିକ୍ ସମେତ ଅନେକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ଘଟିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାଗୁଡ଼ିକୁ ନେଇ ଓଡ଼ିଶା ହାଇକୋର୍ଟ ସେତେବେଳର ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ବୋଲି ସେ କହିଛନ୍ତି।

ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷା ଦୁର୍ନୀତି ଘଟଣାରେ ବ୍ୟାପକ ଆନ୍ଦୋଳନ ସତ୍ତ୍ୱେ ବିଜେଡି ସରକାରର କୌଣସି ମନ୍ତ୍ରୀ ଇସ୍ତଫା ଦେଇନଥିଲେ। ଏବେ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେମାନେ କହିଛନ୍ତି।

ସିଜେପି (CJP) ଆନ୍ଦୋଳନକୁ ସମର୍ଥନ ପ୍ରସଙ୍ଗରେ ମଧ୍ୟ ବିଜେପି ବିଜେଡିକୁ ଟାର୍ଗେଟ କରିଛି। ଭର୍ତ୍ତୃହରି ମହତାବ କହିଛନ୍ତି, କଂଗ୍ରେସ ଓ ସିଜେପିର କଥିତ ଦେଶବିରୋଧୀ ଏବଂ ହିଂସାତ୍ମକ କାର୍ଯ୍ୟକଳାପକୁ ନବୀନ ପଟ୍ଟନାୟକ ସମର୍ଥନ କରିବା ଦୁଃଖଦ। ବିଜେଡିର କିଛି ନେତାଙ୍କ ‘ଆନ୍ଦୋଳନକୁ ସମର୍ଥନ, ସିଜେପିକୁ ନୁହେଁ’ ବୟାନକୁ ସେ ‘ଚଟୁ ଆମିଷ, ବେଣ୍ଟ ନିରାମିଷ’ ନୀତି ବୋଲି କହିଛନ୍ତି।

ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ସରକାର ତୁରନ୍ତ ସଂଶୋଧନାତ୍ମକ ପଦକ୍ଷେପ ନେଇଥିବା ବେଳେ ପୁନଃ ପରୀକ୍ଷା ସଫଳତାର ସହ କରାଯାଇଥିବା ଦାବି କରିଛି ବିଜେପି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜନୀତି କରାଯିବା ଉଚିତ୍ ନୁହେଁ ଏବଂ ପରୀକ୍ଷା ପ୍ରଣାଳୀର ସୁଧାର ପାଇଁ ଗଠନମୂଳକ ଆଲୋଚନାକୁ ବିଜେପି ସମର୍ଥନ କରୁଥିବା ମଧ୍ୟ ସାଂସଦମାନେ କହିଛନ୍ତି।

ସେହିପରି, ବିଜେଡି ଦ୍ରୁତ ଗତିରେ ଜନସମର୍ଥନ ହରାଉଥିବା ଦାବି କରି ବିଜେପି ସାଂସଦମାନେ ରାଜ୍ୟସଭାରେ ବିଜେଡି ସାଂସଦଙ୍କୁ ସଂସଦର କାର୍ଯ୍ୟ ସୁରୁଖୁରୁରେ ଚାଲିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସଙ୍ଗୀତା ସିଂହଦେଓ, ଅନିତା ପ୍ରିୟଦର୍ଶିନୀ, ମାଳବିକା ଦେବୀ, ରୁଦ୍ର ନାରାୟଣ ପାଣି, ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ଅଭିମନ୍ୟୁ ସେଠୀ, ରବି ନାରାୟଣ ବେହେରା, ବଳଭଦ୍ର ମାଝୀ, ସୁକାନ୍ତ ପାଣିଗ୍ରାହୀ ଓ ବିଭୂ ପ୍ରସାଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *