ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ୧୪ ସଦସ୍ୟ ପଦ ହାତେଇଲା ବିଜେଡି, କେନ୍ଦୁଝରରେ ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ଚର୍ଚ୍ଚା

Top Storise ରାଜନୀତି ରାଜ୍ୟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ (District Planning Board) ସଦସ୍ୟ ପଦ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବଡ଼ ସଫଳତା ହାସଲ କରିଛି। ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ୧୪ଟି ସଦସ୍ୟ ପଦ ଦଖଲ କରି ବିଜେଡି ନିଜର ସାଂଗଠନିକ ଶକ୍ତିର ପ୍ରଦର୍ଶନ କରିଛି।

ବୁଧବାର ଅନୁଷ୍ଠିତ ନିର୍ବାଚନରେ ୭ଟି ମହିଳା ସଂରକ୍ଷିତ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହି ଆସନଗୁଡ଼ିକ ପାଇଁ ବିଜେଡି ପକ୍ଷରୁ ୭ ଜଣ ଓ ବିଜେପି ପକ୍ଷରୁ ଅସୀମା ମିଶ୍ରଙ୍କୁ ମିଶାଇ ମୋଟ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।

୩୭ ସଦସ୍ୟ ବିଶିଷ୍ଟ କେନ୍ଦୁଝର ଜିଲ୍ଲା ପରିଷଦରେ ବିଜେଡିର ୩୪ ଜଣ ଓ ବିଜେପିର ୩ ଜଣ ସଦସ୍ୟ ରହିଛନ୍ତି। ମତଦାନରେ ବିଜେପି ପ୍ରାର୍ଥୀ ଅସୀମା ମିଶ୍ରଙ୍କୁ ମାତ୍ର ଦୁଇଟି ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ଅନ୍ୟପଟେ ବିଜେଡି ନିଜର ସମସ୍ତ ୭ ଜଣ ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ସଫଳ ହୋଇଥିଲା।

ଏହାପୂର୍ବରୁ ସାଧାରଣ ବର୍ଗର ୭ଟି ସଦସ୍ୟ ପଦ ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡି ସମସ୍ତ ଆସନ ଜିତିଥିଲା। ଫଳରେ ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ୧୪ଟି ସଦସ୍ୟ ପଦ ବିଜେଡି ଦଖଲକୁ ନେଇଛି।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଛି। ତେଲକୋଇ ବିଧାୟକ ଡ଼. ଫକୀର ମୋହନ ନାଏକ ବର୍ତ୍ତମାନ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। କିନ୍ତୁ ସଦସ୍ୟ ପଦରେ ବିଜେଡିର ଏକଚାଟିଆ ବିଜୟ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।

ବିଜୟ ପରେ ବିଜେଡି ଜିଲ୍ଲା ସଭାପତି ତଥା ୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଏହାକୁ ଦଳ ପ୍ରତି ଜନସାଧାରଣଙ୍କ ବିଶ୍ୱାସର ପ୍ରତିଫଳନ ବୋଲି କହିଛନ୍ତି।

ସେପଟେ, ଏହି ଫଳାଫଳ ପରେ କେନ୍ଦୁଝରରେ ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି। କେତେକ ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟରେ ବିଜେପି ସରକାର ଓ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆସୁଥିବା ସତ୍ତ୍ୱେ କେନ୍ଦୁଝରରେ ଦଳର ସାଂଗଠନିକ ଶକ୍ତି ଆଶାନୁରୂପ କାହିଁକି ଦେଖାଯାଉନାହିଁ। ଦଳ ଭିତରେ ଗୋଷ୍ଠୀ କନ୍ଦଳ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି ସମସ୍ତ ଆଲୋଚନା ସମ୍ପର୍କରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଫଳାଫଳ ବିଜେପି ପାଇଁ ଚ୍ୟାଲେଞ୍ଜ ବଢ଼ାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *