ୟୁନିଟ୍-୨ ମାର୍କେଟ୍‌ରେ ପକେଟ୍‌ମାରି: ମଧ୍ୟପ୍ରଦେଶର ୪ ମହିଳା ଗିରଫ, ଚୋରି ଟଙ୍କା ଉଦ୍ଧାର

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ପକେଟ୍‌ମାରି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୪ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗକାରିଣୀ ଅନୁପମା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସୂଚନାନୁସାରେ, ଗତ ଜୁଲାଇ ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଅନୁପମା ସାହୁ ତାଙ୍କ ଭଉଣୀ ମମତା ସେନାପତିଙ୍କ ସହ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ସପିଂ କରିବାକୁ ଯାଇଥିଲେ। ସେଠାରେ କିଛି ମହିଳା ଜାଣିଶୁଣି ସେମାନଙ୍କ ଚାରିପାଖରେ ଭିଡ଼ ସୃଷ୍ଟି କରିଥିଲେ। ଏହାର ସୁଯୋଗ ନେଇ ଅନୁପମାଙ୍କ ହ୍ୟାଣ୍ଡବ୍ୟାଗରୁ ୧୬,୮୭୦ ଟଙ୍କା ଚୋରି କରାଯାଇଥିଲା।

ଟଙ୍କା ନଥିବା ଜାଣିବା ପରେ ଅନୁପମା ଓ ତାଙ୍କ ଭଉଣୀ ଖୋଜାଖୋଜି କରିଥିଲେ। ନିକଟସ୍ଥ ଦୋକାନୀଙ୍କଠାରୁ କିଛି ସନ୍ଦିଗ୍ଧ ମହିଳା ହ୍ୟାଣ୍ଡବ୍ୟାଗ ଖୋଲୁଥିବା ସୂଚନା ପାଇ ସେମାନେ ୪ ଜଣ ସନ୍ଦିଗ୍ଧ ମହିଳାଙ୍କୁ କାବୁ କରି ପିସିଆର୍‌କୁ ଖବର ଦେଇଥିଲେ। ପିସିଆର୍ ଟିମ୍ ସେମାନଙ୍କୁ କ୍ୟାପିଟାଲ ଥାନାକୁ ନେଇଥିଲା।

ପଚରାଉଚରା ବେଳେ ଦୁଇଜଣ ମହିଳା ନିଜ ନାମ ରୂପା ସିସୋଦିଆଚାନ୍ଦିନୀ ସିସୋଦିଆ ବୋଲି କହିଥିବା ବେଳେ ଅନ୍ୟ ଦୁଇଜଣ ପ୍ରଥମେ ପରିଚୟ ଦେଇନଥିଲେ। ପରବର୍ତ୍ତୀ ବ୍ୟକ୍ତିଗତ ଯାଞ୍ଚ ବେଳେ ରୂପା ସିସୋଦିଆଙ୍କ ଭ୍ୟାନିଟି ବ୍ୟାଗରୁ ଚୋରି ହୋଇଥିବା ୧୬,୮୭୦ ଟଙ୍କା ଜବତ କରାଯାଇଥିଲା। ଅଭିଯୋଗକାରିଣୀ ଉଦ୍ଧାର ଟଙ୍କାକୁ ନିଜର ବୋଲି ଚିହ୍ନଟ କରିଥିଲେ।

ପୁଲିସ ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ ମଧ୍ୟପ୍ରଦେଶର ବାସିନ୍ଦା ଏବଂ ଭିଡ଼ ଥିବା ବଜାର ଓ ସାର୍ବଜନୀନ ସ୍ଥାନରେ ଲୋକଙ୍କୁ ଟାର୍ଗେଟ୍ କରି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲେ। ଘଟଣା ଦିନ ମଧ୍ୟ ସେହି ଉଦ୍ଦେଶ୍ୟରେ ୟୁନିଟ୍-୨ ମାର୍କେଟ୍‌କୁ ଆସିଥିବା ସେମାନେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

କ୍ୟାପିଟାଲ ଥାନା ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ଏବଂ ଅନ୍ୟାନ୍ୟ ଘଟଣାରେ ସେମାନଙ୍କ ଭୂମିକା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *