ଅନଲାଇନ୍ ଡଲାର ଟ୍ରେଡିଂ ନାଁରେ ୯୦ ଲକ୍ଷରୁ ଅଧିକ ଠକେଇ, ଦମ୍ପତି ଗିରଫ

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଅନଲାଇନ୍ ଡଲାର ଟ୍ରେଡିଂରେ ଅଧିକ ଲାଭର ପ୍ରଲୋଭନ ଦେଇ ପ୍ରାୟ ୯୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଦମ୍ପତି ନିଲିମା ଶତପଥୀ ଓ ମନୋଜ କୁମାର ଶତପଥୀଙ୍କୁ ପୋଲିସ୍ ଗିରଫ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ପୋଲିସ୍ ସୂଚନା ଅନୁସାରେ, ଅଭିଯୋଗକାରୀ ସମରଜିତ ବଲିଆରସିଂହ ୨୦୦୯ ମସିହାରୁ ନିଲିମା ଶତପଥୀଙ୍କୁ ଜାଣିଥିବାରୁ ତାଙ୍କ ଉପରେ ବିଶ୍ୱାସ କରିଥିଲେ। ଅଭିଯୁକ୍ତ ଦମ୍ପତି ଛଅ ମାସ ମଧ୍ୟରେ ବଡ଼ ଲାଭ ମିଳିବ ବୋଲି କହି ଅନଲାଇନ୍ ଡଲାର ଟ୍ରେଡିଂ ବ୍ୟବସାୟରେ ନିବେଶ କରିବାକୁ ସମରଜିତ ଓ ତାଙ୍କ ପତ୍ନୀ ସୋନାକ୍ଷୀ ଲେଙ୍କାଙ୍କୁ ପ୍ରବର୍ତ୍ତାଇଥିଲେ।

ଫେବୃଆରୀରୁ ଜୁଲାଇ ୨୦୨୫ ମଧ୍ୟରେ ଦମ୍ପତି ବିଭିନ୍ନ କିସ୍ତିରେ ମୋଟ ୯୭ ଲକ୍ଷ ୨୮ ହଜାର ୭୦୦ ଟଙ୍କା ନିବେଶ କରିଥିଲେ। ପ୍ରଥମେ ଅଭିଯୁକ୍ତମାନେ ୭ ଲକ୍ଷ ୯୫ ହଜାର ଟଙ୍କା ଫେରାଇ ସେମାନଙ୍କ ବିଶ୍ୱାସ ଜିତିଥିଲେ। କିନ୍ତୁ ପରେ ବାକି ୮୯ ଲକ୍ଷ ୩୩ ହଜାର ୭୦୦ ଟଙ୍କା ଫେରସ୍ତ କରିନଥିଲେ।

ଅଭିଯୋଗ ଅନୁଯାୟୀ, ଟଙ୍କା ମାଗିବାରୁ ଅଭିଯୁକ୍ତମାନେ ବ୍ୟାଙ୍କ ସମସ୍ୟାର ବାହାନା ଦେଖାଇ ନକଲି ସ୍କ୍ରିନ୍‌ସଟ୍ ଓ ଡିଜିଟାଲ୍ ଦସ୍ତାବିଜ ପଠାଇ ମିଥ୍ୟା ଆଶ୍ୱାସନା ଦେଇଥିଲେ। ଏପରିକି ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ଦୁଷ୍କର୍ମ ଓ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ତଦନ୍ତ ସମୟରେ ପୋଲିସ୍ ବ୍ୟାଙ୍କ ଷ୍ଟେଟମେଣ୍ଟ, ହ୍ୱାଟ୍ସଆପ୍ ବାର୍ତ୍ତାଳାପ, ଶପଥପତ୍ର, ଆପୋଷ ବୁଝାମଣା ପତ୍ର ଓ ଏଚଡିଏଫସି ବ୍ୟାଙ୍କର ୬ଟି ପୋଷ୍ଟ-ଡେଟେଡ୍ ଚେକ୍ ଜବତ କରିଛି। ଏହି ସବୁ ଦସ୍ତାବିଜ ଓ ଇଲେକ୍ଟ୍ରୋନିକ୍ ପ୍ରମାଣରୁ ବଡ଼ ଧରଣର ଆର୍ଥିକ କାରବାର ହୋଇଥିବା ଏବଂ ବାକି ଟଙ୍କା ଫେରାଇବାର ପ୍ରତିଶୃତି ଦିଆଯାଇଥିବା ପ୍ରଥମ ଦୃଷ୍ଟିରେ ସ୍ପଷ୍ଟ ହୋଇଥିବା ପୋଲିସ୍ କହିଛି।

ପୋଲିସ୍ କହିଛି, ତଦନ୍ତ ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ନିଜ ଦୋଷ ସ୍ୱୀକାର କରିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *