ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବଡଦାଣ୍ତ ସେବା । ମୋ ଧାମ, ମୋ ଗର୍ବ ଅଭିଯାନରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରତି ଶନିବାର ସକାଳ ସାଢ଼େ ୬ଟାରୁ ସାଢ଼ା ୮ଟା ଦୁଇ ଘଣ୍ଟା ବଡ଼ଦାଣ୍ଡ ସେବା କରାଯିବ । ଏହି ଅଭିଯାନରେ ସ୍ୱେଚ୍ଛାକୃତ ଭାବରେ ପୁରୀବାସିନ୍ଦା ଓ ପର୍ଯ୍ୟଟକ ସାମିଲ ହୋଇଛନ୍ତି । ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କରିଥିଲେ ।
ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମରିଚିକୋଟ ଛକ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡଶଙ୍ଖ ଓ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ଯାଏ କରାଯାଇଛି ବଡ଼ଦାଣ୍ଡ ସେବା । ପୁରୀ ସହରର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ସଂଗଠନ ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି ।
ଏହି ଅବସରରେ ବକ୍ତୃତା, ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ବି କରାଯାଇଛି । ଏଥିପାଇଁ ଅନଲାଇନ ପଞ୍ଜିକରଣ କରାଯାଇଥିଲା । ଆଜି ପ୍ରାୟ ଦେଢ ହଜାର ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏଥିସହ ଏହିଦିନ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ ଦେଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଟି- ସାର୍ଟ ହୋଟେଲ ଆସୋସିଏସନ୍ ଓ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯିବ ।