ମନମୋହନ ସାମଲ ଓ ସମ୍ବିତ ପାତ୍ରଙ୍କ ସହ ବିଜେପି ନେତା-କର୍ମୀଙ୍କ ଅଂଶଗ୍ରହଣ
ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଦଳର ନେତା ଓ କର୍ମୀମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ, ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଏହି ଦୀପଦାନ କରାଯାଇଥିଲା। ଏହି ଅବସରରେ ପୁରୀ ସହରର ବହୁ ସଂଖ୍ୟକ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଦୀର୍ଘାୟୁ ଜୀବନ କାମନା କରି ଦୀପଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ, ଯାହାଦ୍ୱାରା ସେ ଦେଶବାସୀଙ୍କ ସେବା ଜାରି ରଖିପାରିବେ ବୋଲି ସେ କହିଥିଲେ।
ପୁରୀ ସାଂସଦ ସମ୍ବିତ ପାତ୍ର କହିଥିଲେ, ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ପୁରୀର ବିଜେପି ନେତା ଓ କର୍ମୀମାନେ ଏକାଠି ହୋଇ ମହାପ୍ରଭୁଙ୍କ ନିକଟରେ ତାଙ୍କ ମଙ୍ଗଳ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି। ଜନ୍ମଦିନ ଭଳି ଅବସରରେ ଦୀପ ଜାଳି ଭଗବାନଙ୍କ ନିକଟରେ ମଙ୍ଗଳ କାମନା କରିବା ଭାରତୀୟ ପରମ୍ପରାର ଏକ ଅଂଶ ବୋଲି ସେ କହିଥିଲେ।
ସମ୍ବିତ ପାତ୍ର ଆହୁରି କହିଥିଲେ ଯେ, ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ସରକାରୀ ଯୋଜନାରୁ ଗରିବ, କୃଷକ, ମହିଳା ଓ ଅନ୍ୟ ବର୍ଗର ଲୋକମାନେ ଲାଭ ପାଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାରଣରୁ ମହାପ୍ରଭୁଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିବା ସେ କହିଥିଲେ।
ସୂଚନାଯୋଗ୍ୟ, ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିବା ରିପୋର୍ଟ ରହିଛି।

