ଭୁବନେଶ୍ୱର : ଚୈତ୍ର ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା “ଆମ ଜନଜାତି”ର ତୃତୀୟ ସଂଖ୍ୟା ଗତ ୨୭ ତାରିଖ ସନ୍ଧ୍ୟାରେ ଲୋକାର୍ପିତ ହୋଇଛି। । ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ ରେ ଗୁଗଲ ମିଟ୍ ରେ ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶ୍ରୀ ଶଙ୍କର ଓରାମ ଓ ସାରସକଣା ବିଧାୟକ ଡଃ ବୁଢାନ୍ ମୁର୍ମୁ ଉପସ୍ଥିତ ରହି ପତ୍ରିକାର ଲୋକାର୍ପଣ କରିବା ସହ ‘ଶୁଭଦୃଷ୍ଟି’ ର ଏହି ଅଭିନବ ପ୍ରୟାସ କୁ ସ୍ବାଗତ କରିଛନ୍ତି ଏବଂ ଏଥିରେ ସଂପୃକ୍ତ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି l
![](https://thefocusplus.com/wp-content/uploads/2021/04/4-7-1024x576.jpg)
ଏହି ଅବସରରେ ବିଧାୟକ ଶ୍ରୀ ଶଙ୍କର ଓରାମ ଆତ୍ମନିର୍ଭର ଭାରତ ଓ ଜନଜାତି ସମାଜ ଉପରେ ଏବଂ ବିଧାୟକ ଡଃ ବୁଢାନ୍ ମୁର୍ମୁ ଆମ ଜନଜାତି ସଂସ୍କୃତି, ଆମ ପରିଚୟ ବିଷୟ ଉପରେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ମାଳତୀ ପ୍ରଧାନ କୁଇ ଭାଷାରେ ସମ୍ପାଦକୀୟ ବିବୃତି ରଖିଥିବା ବେଳେ ଗୁଲସନ୍ ମହାନ୍ତ କୁଡ଼ୁମାଲି ଭାଷାରେ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶୁମାନ ମହାରଣା ଓ ଓମ୍ ପ୍ରକାଶ ବିଶ୍ଵାଳ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
![](https://thefocusplus.com/wp-content/uploads/2021/04/5-7-1024x576.jpg)
ଆମ ଜନଜାତି ଡ଼ିଜିଟାଲ ପତ୍ରିକା ଓଡ଼ିଶାରେ ରହୁଥିବା ୬୨ ପ୍ରକାର ଜନଜାତିଙ୍କ ଲୋକକଥା, ସଂସ୍କୃତି, ପରମ୍ପରା, ଜୀବନଶୈଳୀକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ଯରେ ପ୍ରକାଶିତ କରାଯାଇଛି।ମାଳତୀ ପ୍ରଧାନଙ୍କ ସମ୍ପାଦନାରେ ପ୍ରକାଶିତ ଏହି ତୃତୀୟ ସଂଖ୍ୟାରେ ଅଧ୍ୟାପକ ସୌମେନ୍ଦ୍ର ସ୍ୱାଇଁ, ଅଧ୍ୟାପକ ଡ଼ଃ ଦେବାଶିଷ ପାତ୍ର, ଅଧ୍ୟାପକ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସଂସ୍କୃତି ଗବେଷକ ପ୍ରମୋଦ କୁମାର ପଣ୍ଡା, ଜନଜାତି ଗବେଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଜନଜାତି ଗବେଷକ କିଶୋର କୁମୁରା, ଜନଜାତି ଛାତ୍ର ସଂଗଠକ ତନ୍ମୟ ପ୍ରିୟଦର୍ଶୀ ପ୍ରଧାନ ଓ ପରିଚାଳନା ସମ୍ପାଦକ ଅଂଶୁମାନ ମହାରଣାଙ୍କ ପ୍ରସଙ୍ଗ ସହ ହୋ ଲୋକକଥା ଏବଂ ଲୋକଗୀତ ଇତ୍ଯାଦି ପ୍ରସଙ୍ଗ ସ୍ଥାନିତ ହୋଇଛି।
![](https://thefocusplus.com/wp-content/uploads/2021/04/6-5-1024x576.jpg)
ଏହା ସହିତ ସାନ୍ତାଳୀ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରି ପୁରସ୍କାର ପ୍ରାପ୍ତ ନିର୍ମାତା, ନିର୍ଦ୍ଦେଶକ ତଥା କଳାକାର ଲକ୍ଷ୍ମଣ ସୋରେନ୍ ଓ ଝୁମର୍ ଗୀତକୁ ନିଜର କଣ୍ଠ ଓ ସଂଗୀତ ମାଧ୍ୟମରେ ଘରେ ଘରେ ପରିଚିତ କରାଇଥିବା ଗୁଲସନ୍ ମହାନ୍ତଙ୍କ ଉପରେ ସ୍ବତନ୍ତ୍ର ପ୍ରସଙ୍ଗ ପ୍ରକାଶ ପାଇଛି। ସ୍ୱାଗତିକା ସେଠୀ ପତ୍ରିକାର ପ୍ରଚ୍ଛଦରେ ପ୍ରକାଶିତ ଜନଜାତି ଜୀବନଶୈଳୀ ଚିତ୍ର ଅଙ୍କନ କରିଥିବାବେଳେ ଅଳଙ୍କରଣ ରେ ସହଯୋଗ କରିଛନ୍ତି ସରୋଜ ରଞ୍ଜନ। ପତ୍ରିକାଟି ଲୋକାର୍ପିତ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଆପଣ ମାନେ ଏହି ପତ୍ରିକାଟି amajanajaati.shubhdristi.in ସାଇଟରେ ଯାଇ ପଢିପାରିବେ।